“ନିଅଣ୍ଟିଆ ହେବନି ତେଲ, ରାଜ୍ୟରେ ଯଥେଷ୍ଟ ମହଜୁଦ ଅଛି”

ଯୋଗାଣ ମନ୍ତ୍ରୀଭୁବନେଶ୍ୱର, ୭ ମାର୍ଚ୍ଚ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବଢ଼ିଛି। ବ୍ୟାରେଲ ପିଛା ତୈଳ ମୂଲ୍ୟ ୯୪.୫୧ ଡଲାରକୁ ପହଞ୍ଚିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ତେଲ ଅଭାବ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ଆଶଙ୍କାରେ କେତେକ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକରେ ଲୋକଙ୍କ ଭିଡ଼ ମଧ୍ୟ ଦେଖାଯାଇଛି।ଏହି ପରିସ୍ଥିତିରେ ରାଜ୍ୟର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ। ସେ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ପାଇଁ ପର୍ଯ୍ୟାପ୍ତ ପରିମାଣରେ ତୈଳ ମହଜୁଦ ଅଛି ଏବଂ ଯୁଦ୍ଧ ପରିସ୍ଥିତିକୁ ନେଇ କିଛି ବିଭ୍ରାନ୍ତିକର ସୂଚନା ପ୍ରଚାର ହେଉଛି। ଋଷିଆରୁ ତେଲ ଆସୁଥିବାରୁ ତେଲ ନିଅଣ୍ଟିଆ ହେବାର ଆଶଙ୍କା ନାହିଁ ବୋଲି ସେ କହିଛନ୍ତି।ମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ କରି କହିଛନ୍ତି ଯେ ଲୋକେ ଅଫବାହରେ ବିଶ୍ୱାସ ନକରି ସରକାରୀ ସୂଚନା ଉପରେ ଭରସା କରନ୍ତୁ। ତେଲ ଯୋଗାଣକୁ ନେଇ କୌଣସି ଅସୁବିଧା ହେବ ନାହିଁ ଓ ପର୍ଯ୍ୟାପ୍ତ ମହଜୁଦ ରହିଛି।ସେହିପରି କଳାବାଜାରୀ ରୋକିବା ପାଇଁ ସରକାର ନଜର ରଖିଥିବା ସେ କହିଛନ୍ତି। କେହି ଯଦି ଅବୈଧ ଭାବେ ତେଲ ମଜୁତ କରିବେ କିମ୍ବା କଳାବାଜାରୀ କରିବେ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।ଏହା ସହିତ ମନ୍ତ୍ରୀ କହିଛନ୍ତି ଯେ ଯୁଦ୍ଧର ପ୍ରଭାବ ଭାରତରେ ସୀମିତ ରହିବ। ଆବଶ୍ୟକ ଖାଦ୍ୟ ସାମଗ୍ରୀ ଓ ଏଲପିଜି ମଧ୍ୟ ପର୍ଯ୍ୟାପ୍ତ ମହଜୁଦ ଅଛି। ତେବେ ଆନ୍ତର୍ଜାତିକ ପରିସ୍ଥିତି ଯୋଗୁଁ ଏଲପିଜି ଦର ସାମୟିକ ଭାବେ ବଢ଼ିଥିବା ସେ ସ୍ୱୀକାର କରିଛନ୍ତି।ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ ତିନୋଟି ଆସନରେ ବିଜେପି ଜିତିବାକୁ ନିଶ୍ଚିତ। ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଜେପି ସମର୍ଥନ କରୁଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବିଜେଡି ଦଳ ଭିତରେ ମତଭେଦ ବଢ଼ୁଛି ଏବଂ ଆଗାମୀ ଦିନରେ ରାଜନୈତିକ ପରିସ୍ଥିତିରେ ଆହୁରି ପରିବର୍ତ୍ତନ ଦେଖାଯିବ।

Related Posts