ବାହାନଗା ବଜାର ଷ୍ଟେସନରେ ଏବେ ରହିବ ନାହିଁ କୌଣସି ଟ୍ରେନ୍: ରିଲେ ରୁମ୍‌, ପ୍ୟାନେଲ ରୁମ୍‌, ଡାଟା ଲକର ସିଲ୍‌ କଲା ସିବିଆଇ

ଭୁବନେଶ୍ୱର,୧୦/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ୍ ରହିବ ନାହିଁ। ଏନେଇ ଦକ୍ଷିଣ ପୂର୍ବ ରେଳପଥ ସିପିଆର୍‌ଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାହାନଗା ବଜାର ଷ୍ଟେସନରେ ମେମୁ, ଏକ୍ସପ୍ରେସ୍ ବା ପାସେଞ୍ଜର୍ ଟ୍ରେନ୍ ରହିବନି। ଏଠାରେ ସିବିଆଇ ଟିମ୍ ତଦନ୍ତ କରୁଥିବାରୁ ରିଲେ ପ୍ୟାନେଲ୍ ସିଲ୍ ହୋଇି। ଏହି କାରଣରୁ ବାହାନଗା ବଜାର ଷ୍ଟେସନରେ କୌଣସି ଟ୍ରେନ୍ ରହିବ ନାହିଁ। ପରବର୍ତ୍ତୀ ଆଦେଶ ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି ସିପିଆର୍‌ଓ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ତେବେ ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ବାହାନଗା ବଜାର ଷ୍ଟେସନରେ ପ୍ରତିଦିନ ହଜାର ହଜାର ରେଳଯାତ୍ରୀ ଯାତାୟତ କରିଥିବା କୁହାଯାଉଛି।

ସେପଟେ ଶୁକ୍ରବାର ସିବିଆଇ ଟିମ୍ ଷ୍ଟେସନରେ ପହଞ୍ଚି ସେଠାରେ ଥିବା ବିଭିନ୍ନ କମ୍ପ୍ୟୁଟରର ହାର୍ଡ ଡିକ୍ସ ଜବତ କରିଥିଲେ । ଏହାବ୍ୟତୀତ ସେଠାରେ ରେକର୍ଡ ହୋଇଥିବା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ । ପରେ ବାହାନଗା ବଜାର ଷ୍ଟେସନ ଭିତରେ ଥିବା ପ୍ରାଇଭେଟ ନମ୍ବର ଏକ୍ସଚେଞ୍ଜ ବୁକ୍‌ ଯାଞ୍ଚ କରିଥିଲେ । ଶେଷରେ ରିଲେ ରୁମ୍‌କୁ ଯାଇ କିଛି ସମୟ ରହିଥିଲେ । ଏହି ସମୟ ଭିତରେ ଏହି ଟିମ୍‌ ରିଲେ ରୁମ୍‌, ପ୍ୟାନେଲ ରୁମ୍‌, ଡାଟା ଲକର ସିଲ୍‌ କରିଥିଲେ ।ଅନ୍ୟପଟେ ସିବିଆଇ ଦିଲ୍ଲୀର ସ୍ପେସାଲ କ୍ରାଇମ(ଏସସି)-୧ ଶାଖା ବାହାନଗା ରେଳ ଦୁର୍ଘଟଣାର ତଦନ୍ତ କରୁଛି । ଏହି ଶାଖା ଆତଙ୍କବାଦ, ବୋମା ବିସ୍ଫୋରଣ, ଟଙ୍କା ପାଇଁ ବଡ଼ ଅପହରଣ, ଅଣ୍ଡର୍‌ ଵାର୍ଲଡ୍ ଡନ୍, ମାଫିଆଙ୍କ ଦ୍ବାରା ସଂଗଠିତ ଅପରାଧର ତଦନ୍ତ କରିଥାଏ। ଏ ଦୃଷ୍ଟିରୁ କେନ୍ଦ୍ର ସରକାର ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରିଥିବା କୁହାଯାଉଛି।

ଏପଟେ ସିବିଆଇ ଜବତ କରିଥିବା ସିଗନାଲ୍ ହାର୍ଡଡିସ୍କକୁ ସ୍ବତନ୍ତ୍ର ବୈଷୟିକ ବିଶେଷଜ୍ଞ ଦଳ ଯାଞ୍ଚ କରୁଛନ୍ତି। ସେହିପରି ରେକର୍ଡ କରାଯାଇଥିବା କର୍ମଚାରୀଙ୍କ ବୟାନକୁ ତର୍ଜମା କରାଯାଉଛି। ଦୁର୍ଘଟଣା ପୂର୍ବରୁ ଦିଆଯାଇଥିବା ସିଗନାଲ୍ ଠିକ୍ ଥିଲା ନା ନାହିଁ? ଅପଲାଇନରେ ଗ୍ରିନ୍‌ ସିଗ୍‌ନାଲ୍ ଦିଆଯାଇଥିବା ବେଳେ ଲୁପ୍ ଲାଇନରେ କେମିତି ଯାଇ ମାଲବାହୀ ଟ୍ରେନକୁ ଧକା ଦେଲା କରମଣ୍ଡଳ ଏକ୍ସପ୍ରେସ୍? ବିଶେଷଜ୍ଞ ଦଳ ତର୍ଜମା କରିବା ପରେ ସିବିଆଇ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି। ଏବେ ବିଶେଷଜ୍ଞ ଦଳର ମତ ଉପରେ ସବୁ କିଛି ନିର୍ଭର କରୁଛି ବୋଲି କୁହାଯାଉଛି। ସେହିପରି ଘଟଣାସ୍ଥଳରୁ ଏକାଧିକ ନମୁନା ମଧ୍ୟ ସଂଗ୍ରହ କରିଛି ସେଣ୍ଟ୍ରାଲ ଫୋରେନସିକ୍ ଟିମ୍। ଏହାକୁ ସେଣ୍ଟ୍ରାଲ ଫୋରେନସିକ୍ ଲାବରେଟୋରିକୁ ପଠାଯାଇଛି। ତାହାର ରିପୋର୍ଟକୁ ଅପେକ୍ଷା କରାଯାଇଛି। ତଦନ୍ତକାରୀ ଦଳ ବିଶେଷଜ୍ଞ ଦଳ ଓ ଫୋରେନସିକ୍ ଟିମ୍ ସହ ବିଚାର ଆଲୋଚନା ଜାରି ରଖିଛି।

Related Posts