ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେବଳ ଓଡ଼ିଶା ନୁହେଁ ବରଂ ଓଡ଼ିଶା ବାହାରେ ମଧ୍ୟ ନିଜର କଳାକାରନାମା ପାଇଁ ବନ୍ଧା ହୋଇଛି ରସିକିଆ ଡାକ୍ତର ରମେଶ ସ୍ୱାଇଁ । ସେପଟେ ରମେଶଙ୍କ ସବୁ ଅପରାଧରେ ତାଙ୍କ ପ୍ରଥମ ଓ ଦ୍ୱିତୀୟ ପତ୍ନୀ ଯୋଗାଇ ଦେଉଥିଲେ ସବୁ ପ୍ରକାର ସାହାଯ୍ୟ ସହଯୋଗ । ସ୍ୱାମୀ ଜେଲ୍କୁ ଗଲେ ତାଙ୍କୁ ମୁକୁଳାଇବାକୁ ଦ୍ୱିତୀୟ ପତ୍ନୀ କମଳା ପାଣି ପରି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବେଲ୍ରେ ତାଙ୍କୁ ବାହାର କରୁଥିଲେ ପ୍ରଥମ ପତ୍ନୀ ଶାନ୍ତିଲତା। ତେଣୁ ଉଭୟ ପ୍ରଥମ ଓ ଦ୍ୱିତୀୟ ପତ୍ନୀଙ୍କ ସାହାଯ୍ୟ ସହଯୋଗ ପାଇ ନିଜ ଅପରାଧିକ ରେକର୍ଡକୁ ଲମ୍ବାଇ ଚାଲିଥିଲେ ରମେଶ । ଏଥିସହ ସେ ସାଜିଥିଲେ ୧୯ ପତ୍ନୀଙ୍କ ସ୍ୱାମୀ ।
ରସିକିଆ ନକଲି ଡାକ୍ତର ଓ ତାଙ୍କ ଦ୍ୱିତୀୟ ପତ୍ନୀ ଏବେ ଗିରଫ ହୋଇ ଜେଲ୍ରେ ଥିବା ବେଳେ ପୁଲିସ୍ ଘାଣ୍ଟୁଛି ତାଙ୍କ ପୁରୁଣା ରେକର୍ଡ। ଦୀର୍ଘ ୭ ବର୍ଷ ତଳେ ୨୦୧୫ ମସିହାରେ ଗୁରୁଗ୍ରାମରେ ଚାକିରି ଦେବା ନାଁରେ ଠକେଇ କରି ଗିରଫ ହୋଇଥିଲେ ରମେଶ । ଦ୍ୱିତୀୟ ପତ୍ନୀ କମଲା ସ୍ୱାଇଁଙ୍କ ନାମରେ ମଧ୍ୟ ଏହି ଠକେଇ ମାମଲା ଥିବା ବେଳେ ସେ ଆଗୁଆ ଜାମିନ ପାଇପାରିଥିଲେ। କମଳା ସ୍ୱାଇଁଙ୍କୁ ରିମାଣ୍ଡରେ ଆଣି ଜେରା ବେଳେ ଏହି ତଥ୍ୟ ଜଣାପଡ଼ିଥିବା କହିଛନ୍ତି ମହିଳା ଥାନା ଅଧିକାରୀ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।





