ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ଏ ବିଭାଗ ପରିବର୍ତ୍ତନ ଦଣ୍ଡ ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି । ଆଜି ପୂର୍ବାହ୍ନ ୧୧ଟା ବେଳେ ଲୋଧି ରୋଡ୍ରେ ଅବସ୍ଥିତ ‘ପୃଥ୍ବୀ ଭବନ’ରେ ପୃଥ୍ବୀ ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରି ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ କିରେଣ ରିଜିଜୁ କହିଛନ୍ତି।କେନ୍ଦ୍ର ଆଇନ ମନ୍ତ୍ରୀ ପଦରୁ ଆକସ୍ମିକ ହଟାଯିବାର ଦିନକ ପରେ ଆଜି ଗଣମାଧ୍ୟମକୁ ରିଜିଜୁ କହିଛନ୍ତି, ଏ ସ୍ଥାନାନ୍ତରଣ ଦଣ୍ଡ ନୁହେଁ, ଏହା ହେଉଛି ସରକାରଙ୍କ ଯୋଜନା।ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ବା ପରିକଳ୍ପନା। ବିଭାଗ ଅଦଳବଦଳ ଚିରାଚରିତ ପ୍ରକ୍ରିୟା। କାହାକୁ ନା କାହାକୁ ଦାୟିତ୍ବ ନିର୍ବାହ କରିବାକୁ ପଡ଼ିବ।
ସେ କହିଛନ୍ତି ଯେ, ମୋ ଦ୍ଵାରା କୌଣସି ତ୍ରୁଟି ହୋଇନାହିଁ। ମୋ ବିରୋଧରେ କହିବା ବିରୋଧୀମାନଙ୍କ କର୍ତ୍ତବ୍ୟ, ସେମାନେ କହୁ ଥାଆନ୍ତୁ। ସେହିପରି ନ୍ୟାୟିକ ବ୍ୟବସ୍ଥା ସହିତ ତାଙ୍କର ମତଭେଦ ସଂକ୍ରାନ୍ତରେ ପଚରାଯିବାରୁ ଆଜି ରାଜନୀତି ବିଷୟରେ କହିବା ଦିନ ନୁହେଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ରବିଶଙ୍କର ପ୍ରସାଦ ମନ୍ତ୍ରୀପଦ ଛାଡ଼ିବା ପରେ ୨୦୨୧ ଜୁଲାଇ ୭ରେ ରିଜିଜୁ ଆଇନ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଆଇନ ମନ୍ତ୍ରୀ ଥିବା ସମୟରେ ରିଜିଜୁ ବାରମ୍ବାର ନ୍ୟାୟିକ ବ୍ୟବସ୍ଥା ବିରୋଧରେ ଟିପ୍ପଣୀ ଦେବା ସହିତ କଲିଜିୟମ୍ ବିଚାରପତି ନିଯୁକ୍ତି ବ୍ୟବସ୍ଥାକୁ ସମାଲୋଚନା କରୁଛିଲେ। ତାଙ୍କ ଟିପ୍ପଣୀ ଯୋଗୁଁ ବିଚାରପତି ନିଯୁକ୍ତି କ୍ଷେତ୍ରରେ ସବୁବେଳେ ନ୍ୟାୟିକ ବ୍ୟବସ୍ଥା ଓ କାର୍ଯ୍ୟପାଳିକା ମଧ୍ୟରେ ବିବାଦ ଲାଗୁଥିଲା। ଏସବୁ ଭିତରେ ଗତକାଲି ତାଙ୍କ ନିକଟରୁ ଆଇନ୍ ମନ୍ତ୍ରଣାଳୟ ନେଇ ତାଙ୍କୁ ପୃଥ୍ବୀ ବିଜ୍ଞାନ ମନ୍ତ୍ରାଳୟର ଦାୟିତ୍ବ ଦିଆଯାଇଥିଲା।





