ଲୋକସଭା ସଦସ୍ୟତା ରଦ୍ଦ ପରେ ସରକାରୀ ବଙ୍ଗଳା ଖାଲି କରିବାକୁ ରାହୁଲ ଗାନ୍ଧୀଙ୍କୁ ନୋଟିସ୍

ଭୁବନେଶ୍ୱର,୨୭/୩ (ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ପରେ ଏବେ ତାଙ୍କୁ ଆଉ ଏକ ଝଟକା ଲାଗିଛି। ରାହୁଲଙ୍କୁ ତାଙ୍କ ସରକାରୀ ବଙ୍ଗଳା ଛାଡ଼ିବାପାଇଁ ନୋଟିସ୍‌ କରାଯାଇଛି। ଏପ୍ରିଲ ୨୨ ସୁଦ୍ଧା ରାହୁଲ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ଲୋକସଭା ହାଉସିଂ କମିଟି ପକ୍ଷରୁ ନୋଟିସ ଦିଆଯାଇଛି। ତେବେ ରାହୁଲ ୨୦୦୪‌ରେ ପ୍ରଥମଥର ପାଇଁ ଲୋକସଭାକୁ ଜଣେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ୧୨, ତୁଗଲକ ଲେନ୍‌ ବଙ୍ଗଳା ମିଳିଥିଲା। ୨୦୦୪ରୁ ରାହୁଲ ଏହି ବଙ୍ଗଳାରେ ରହି ଆସୁଛନ୍ତି।

ତେବେ ନିୟମ ଅନୁସାରେ ଜଣେ ସାଂସଦ ନିଜର ସଦସ୍ୟତା ହରାଇବାର ମାସକ ମଧ୍ୟରେ ତାଙ୍କ ବଙ୍ଗଳା ଛାଡ଼ିବେ। ତେବେ ଏହି ନୋଟିସ୍‌ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି, ଏହା ରାହୁଲ ଗାନ୍ଧିଙ୍କ ପ୍ରତି ବିଜେପିର ଘୃଣାକୁ ପଦାରେ ପକାଇଦେଇଛି। ନୋଟିସ୍‌ ଦିଆଯିବା ପରେ ବି ଜଣେ ୩୦ ଦିନ ଏହି ଘରେ ରହିପାରିବେ। ୩୦ ଦିନ ସମୟ ପରେ ଜଣେ ବଜାର ଦର ହିସାବରେ ଏହି ଘରେ ଭଡ଼ାରେ ମଧ୍ୟ ରହିପାରିବେ। ରାହୁଲ ଗାନ୍ଧି ଜେଡ୍‌ ପ୍ଲସ ସୁରକ୍ଷା ଶ୍ରେଣୀରେ ଆସୁଛନ୍ତି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ରାହୁଲ ଦୋଷୀସାବ୍ୟସ୍ତ ହୋଇ ୨ ବର୍ଷ ଜେଲ୍‌ଦଣ୍ଡାଦେଶ ପାଇବା ପରେ ତାଙ୍କ ସଂସଦ ସଦସ୍ୟତା ରଦ୍ଦ କରାଯାଇଛି। ସଂସଦ ସଦସ୍ୟତା ରଦ୍ଦ ହେବାପରେ ରାହୁଲଙ୍କୁ ସରକାରୀ ବଙ୍ଗଳା ଛାଡ଼ିବାପାଇଁ ନୋଟିସ୍‌ କରାଯାଇଛି।

Related Posts