ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ସୁନୀଲ ଜାଖର ଓ କେ.ଭି ଥୋମାସଙ୍କୁ କଂଗ୍ରେସ ଶୃଙ୍ଖଳା କମିଟିର ନୋଟିସ । ଏ.କେ ଆଣ୍ଟୋନିଙ୍କ ଅଧ୍ୟକ୍ଷତାରେ ଗଠିତ ଏଆଇସିସି ଶୃଙ୍ଖଳା କମିଟି ପଞ୍ଜାବ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖର ଏବଂ କେରଳ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥୋମାସଙ୍କୁ ନୋଟିସ ଜାରି କରି ସପ୍ତାହେ ମଧ୍ୟରେ ସ୍ପଷ୍ଟୀକରଣ ଦେବାକୁ କହିଛି । ସେପଟେ ରାଜ୍ୟ ସଭା ଆସନ ପାଇଁ ଟିକେଟ ନ ମିଳିବାରୁ ଥୋମାସ ଅସନ୍ତୁଷ୍ଟ ରହିଥିଲେ । ଏପ୍ରିଲ ୯ ତାରିଖରେ ସିପିଆଇଏମ ପାର୍ଟି କଂଗ୍ରେସ ଅବସରରେ ଆୟୋଜିତ ଏକ ସେମିନାରରେ ସେ ଯୋଗଦେଇଥିଲେ ।
ଏହି ଘଟଣା ପରେ ଥୋମାସଙ୍କୁ ତୁରନ୍ତ ଦଳରୁ ବହିଷ୍କାର କରାଯିବାକୁ କେରଳ କଂଗ୍ରେସ ପକ୍ଷରୁ ଦାବି ହୋଇଥିଲା । ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜାଖରଙ୍କୁ ଅଣଦେଖା କରାଯିବାରୁ ସେ ଦଳକୁ ସମାଲୋଚନା କରିଥିଲେ । ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀଙ୍କୁ ଦାୟୀ କରିଥିଲେ । ବର୍ତ୍ତମାନ ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।





