ରାଜ୍ୟରେ ଆରମ୍ଭ ହେବ ଓବିସି ଗଣନା, ଜୁଲାଇ ୧୨ ସୁଦ୍ଧା ସର୍ଭେ ସରିବାକୁ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ଵର,୧/୩(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଖୁବ୍ ଶୀଘ୍ର ହେବ ଓବିସି ଗଣନା । ସମ୍ଭବତଃ ଏପ୍ରିଲ୍‌-ମେ’ ମାସରେ ଏହି ଗଣନା କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟର ୩୦ଟି ଜିଲ୍ଲାର ୩୧୪ ବ୍ଲକ ଓ ୧୧୪ଟି ପୌରାଂଚଳ (ମହାନଗର ନିଗମ ସମେତ)ରେ ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଅର୍ଥନୀତିକ ସ୍ଥିତି ଜାଣିବା ପାଇଁ ସର୍ଭେ ଆରମ୍ଭ ହେବ । ଜୁଲାଇ ମାସ ୧୨ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ଓବିସି କମିସନ୍‌ଙ୍କ ସଦସ୍ୟ ସଚିବ ଭି ଭି ଯାଦବ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମହାନଗର ନଗିମ କମିସନର୍‌ମାନଙ୍କୁ ଚିଠି ଲେଖିଛନ୍ତି। ଗଣନା କାର୍ଯ୍ୟ କିପରି କରାଯିବ, ତାହାର ବିବରଣୀ ମଧ୍ୟ ଦିଆଯାଇଛି। ୨୦୨୧ ମେ’ ମାସରେ ଓବିସି ଗଣନା କରିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ତେବେ କରୋନା ଯୋଗୁ ସରକାର ଏହାକୁ ସ୍ଥଗିତ ରଖିଥିଲେ।

ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି ଜାଣିବା ପାଇଁ ଏହି ଗଣନା କରାଯିବ। ଏଥିପାଇଁ ୬ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ(ଅତିରିକ୍ତ ସଚିବ ପାହ୍ୟା)ଙ୍କୁ ୩୦ଟି ଜିଲ୍ଲାର ଜୋନାଲ୍‌ ଅଫିସର୍‌ ଭାବେ ଦାୟିତ୍ବ ଦିଆଯାଇଛି। ବ୍ଲକ୍‌ ସ୍ତରରେ ସୁପର୍‌ଭାଇଜର୍‌ ଓ ଗଣନାକାରୀଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବ। ପଞ୍ଚ‌ାୟତରେ ଅଙ୍ଗନବାଡ଼ି କର୍ମୀ ଏବଂ ସହରାଞ୍ଚଳରେ ୱାର୍ଡ ଅଫିସର, ଟ୍ୟାକ୍ସ କଲେକ୍ଟରମାନେ ଗଣନାକାରୀ ଭାବେ ଦାୟିତ୍ବ ନିର୍ବାହ କରିବେ। ପ୍ରତି ୧୦ଜଣ ଗଣନାକାରୀଙ୍କ କାର୍ଯ୍ୟ ତଦାରଖ ପାଇଁ ଜଣେ ଲେଖାଏ ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯିବ। ଗଣନା କାର୍ଯ୍ୟ ନିର୍ଦ୍ଦିଷ୍ଟ ଫର୍ମାଟ (ଆଇସିଆର ଫର୍ମ)ରେ କରାଯିବ। ଏଥିପାଇଁ ପରିବାରର ମୁଖ୍ୟଙ୍କ ପରିଚୟ ପ୍ରମାଣପତ୍ରରୁ ଗୋଟିଏ (ଆଧାର କାର୍ଡ, ଭୋଟର କାର୍ଡ, ପ୍ୟାନ କାର୍ଡ ଅବା ପାସପୋର୍ଟ) ରହିବା ବାଧ୍ୟତାମୂଳକ। ଏହି ଗଣନା ସଂକ୍ରାନ୍ତ ସମସ୍ତ ତଥ୍ୟ ଉଭୟ ଡିଜିଟାଲ ଓ ସାଧାରଣ ଫର୍ମରେ ପୂରଣ ହେବ। ଚିହ୍ନଟ ହୋଇଥିବା ପ୍ରାଥମିକ ସ୍କୁଲ, ସରକାରୀ ଅନୁଷ୍ଠାନ, ସୁଲଭ ବିକ୍ରୟ କେନ୍ଦ୍ର ଆଦିରେ ଏହି ଗଣନା କେନ୍ଦ୍ର ସ୍ଥାପନ କରାଯିବ। ପ୍ରତ୍ୟେକ କେନ୍ଦ୍ରରେ ୨ରୁ ୫ଜଣ ଲେଖାଏ ଗଣନାକାରୀ ରହିବେ।

Related Posts