ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡିଶା କ୍ରିକେଟ ଆସୋସିଏସନ ( ଓସିଏ )ରେ ପୁଣି ବୟସ ଜାଲିଆତି ନେଇ ଅଭିଯୋଗ ଆସିଛି। କୂଚବିହାର ଟ୍ରଫି ପାଇଁ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ନିକଟରେ ଘୋଷଣା କରାଯାଇଛି ୧୬ ଜଣିଆ ଖେଳାଳି ତାଲିକା। ଘୋଷଣା ହୋଇଥିବା ତାଲିକାରେ ଖୋର୍ଦ୍ଧାର ଜଣେ ଖେଳାଳୀ ସ୍ଥାନ ପାଇଥିବା ବେଳେ ତାଙ୍କ ବୟସ ୨୦ରୁ ଅଧିକ ହୋଇଥିବା ଜଣାପଡିଛି। ୧୯ ବର୍ଷରୁ କମ ଦଳରେ ୨୦ ବର୍ଷରୁ ଅଧିକ ଖେଳାଳୀଙ୍କ ନାମ ଥିବା ନେଇ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଓସିଏ ତାଲିକାରେ ଥିବା ଖେଳାଳୀଙ୍କ ଜନ୍ମ ୧୮ ଜାନୁଆରୀ ୨୦୦୫ ଦର୍ଶାଯାଇଛି ଯେଉଁଥିରେ ଖେଳାଳିଙ୍କ ବୟସ ୧୭ବର୍ଷ ୧୦ ମାସ ହେଉଛି , ହେଲେ ଅଭିଯୋଗକାରୀ ମାନେ ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡରୁ ମଗାଇଥିବା ତଥ୍ୟ ଅନୁସାରେ ସଂପୃକ୍ତ ଖେଳାଳୀ ୨୦୦୨ ମସିହା ଜାନୁଆରୀ ୧୮ ତାରିଖରେ ଜନ୍ମ। ଯେଉଁ ଅନୁସାରେ ଖେଳାଳୀଙ୍କ ବୟସ ୨୦ ବର୍ଷ ୧୦ ମାସ ହେଉଥିବା ବେଳେ ତାଙ୍କୁ ୧୯ ବର୍ଷରୁ କମ ଦଳରେ କିଭଳି ସାମିଲ ହେଲେ ସେ ନେଇ ଅଭିଯୋଗ ହୋଇଛି।

ଓସିଏ କର୍ମକର୍ତ୍ତା ଜାଣି ଶୁଣି ଏଭଳି କରିଥିବା ଅଭିଯୋଗ ହେବା ସହ ଅଧିକ ବୟସର ଖେଳାଳୀଙ୍କୁ ଖେଳେଇ ଯେଉଁ ଜିତିବାର ଲକ୍ଷ୍ୟ ରଖିଛି , ତାହା ଭୁଲ । ଏଭଳି କରିବା ଦ୍ବାରା ଯୋଗ୍ୟ ବିବେଚିତ ଖେଳାଳୀ ଦଳରେ ସ୍ଥାନ ନପାଇ ବାଦ ପଡୁଛନ୍ତି। ଓଡିଶା କ୍ରିକେଟର ଉନ୍ନତି ବଦଳରେ ଅବନତି ହେବା ସହ ଓଡିଶା କ୍ରିକେଟ ଆସୋସିଏସନ ବଦନାମ ହେବା ରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି ଅଭିଯୋଗକାରୀ।





