ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି। ତେବେ ଏହି ନିର୍ବାଚନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଓସିଏର ପରବର୍ତ୍ତୀ ସଭାପତି ହେବେ। ବର୍ତ୍ତମାନର ସଭାପତି ପଙ୍କଜ ଲୋଚନ ମହାନ୍ତି ବବିଙ୍କ ପାଇଁ ତାଙ୍କ ପଦକୁ ଛାଡ଼ି ଉପ ସଭାପତି ପଦରେ ବସିବାକୁ ରାଜି ହୋଇଯାଇଛନ୍ତି। ସେହିପରି ବର୍ତ୍ତମାନର ସମ୍ପାଦକ ସଂଜୟ ବେହେରା ଦ୍ବିତୀୟ ଥର ପାଇଁ ସେହି ଚେୟାରରେ ବସିବାକୁ ଯାଉଛନ୍ତି। ଶୁକ୍ରବାର ପୁରୀର ଏକ ହୋଟେଲ୍ରେ ଓସିଏ ସଦସ୍ୟ ମାନଙ୍କ ଅନୁଷ୍ଠିତ ହୋଇଥିବା ଏକ ବୈଠକ ପରେ ଏହି ଘୋଷଣା କରାଯାଇଛି। ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହିତ ପାଖାପାଖି ୫୫ ଜଣ ସଦସ୍ୟ ଏହି ବୈଠକରେ ଉପସ୍ଥିତ ଥିବା ସୂଚନା ମିଳିଛି।
ତେବେ ଆଗାମୀ ୨୮ ତାରିଖରେ ହେବାକୁଥିବା ଓସିଏ ନିର୍ବାଚନ ପୂର୍ବରୁ ପୁରୀର ଏହି ବୈଠକ ଗୁରୁତ୍ବ ବହନ କରୁଥିଲା। ସଂଘର ମୋଟ ୭୩ ଜଣ ଭୋଟରଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାରୁ ବବିଙ୍କ ନାମ ଆସିବା ପରେ ତାଙ୍କୁ କେଉଁ ପଦ ଦିଆଯିବ ତାହାକୁ ନେଇ ତର୍ଜମା ଚାଲିଥିଲା। ରାଜ୍ୟ ବିଜେଡିର ସାଂଗଠନିକ ସମ୍ପାଦକ ହୋଇଥିବାରୁ ତାଙ୍କୁ ସଭାପତି ପଦ ଦିଆଯିବାକୁ ସ୍ଥିର ହେବାପରେ ବର୍ତ୍ତମାନର ସଭାପତି ପଙ୍କଜଙ୍କୁ କେଉଁ ପଦରେ ଥଇଥାନ କରାଯିବ ବୋଲି ଆଲୋଚନା ଚାଲିଥିଲା। ତାଙ୍କୁ ହୁଏତ ଅଲିମ୍ପିକ ସଂଘର ସଭାପତି ପଦ ସହ ସାନ୍ତ୍ବନା ଦିଆଯାଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲେ ମଧ୍ୟ ଶେଷରେ ଖାଲି ପଡ଼ିଥିବା ଉପସଭାପତି ପଦରେ ପଙ୍କଜଙ୍କୁ ଥଇଥାନ କରାଯାଇଥିଲା। ପୂର୍ବରୁ ଓସିଏର ଉପସଭାପତି ପାଇଁ ନିର୍ବାଚିତ ହୋଇଥିବା ଅକ୍ଷୟ ସାମନ୍ତ ଗତ ପୌର ନିର୍ବାଚନରେ ଅନୁଗଳ ପୌରପାଳିକାର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାରୁ ସେ ଓସିଏର ଉପସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଏହି ଆସନ ଟି ଖାଲି ରହିଥିଲା। ଏବେ ବବିଙ୍କୁ ସଭାପତି ଆସନ ଦେଇ ପଙ୍କଜଙ୍କୁ ଏହି ପଦରେ ଥଇଥାନ କରିବାକୁ ଏହି ବୈଠକରେ ସ୍ଥିର ହୋଇଥିବା ସୂଚନା ମିଳିଛି।





