ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ ହେଲେ ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଭୁବନେଶ୍ୱର,୧୨/୩ (ସତ୍ୟପାଠ ବ୍ୟୁରୋ): ଦେଶର ସବୁଠୁ ବଡ଼ ବୀମା କମ୍ପାନିର ଦାୟିତ୍ୱ ଏବେ ଓଡ଼ିଆଙ୍କ ହାତରେ । ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଆସନ୍ତା ତିନି ମାସ ପାଇଁ ତାଙ୍କୁ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଛି । ମାର୍ଚ୍ଚ ୧୪ରୁ ସେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନର ଏଲଆଇସି ଅଧ୍ୟକ୍ଷ ଏମଆର କୁମାରଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯାଇ ନଥିବା ବୀମା କମ୍ପାନି ସ୍ପଷ୍ଟ କରିଛି ।

ସୂତ୍ର ଅନୁସାରେ ସିଦ୍ଧାର୍ଥ ମହାନ୍ତି ନିଜର ପୂର୍ବ ଦାୟିତ୍ୱ ସହ ଅନ୍ତରୀଣ ଅଧ୍ୟକ୍ଷ ପଦ ସମ୍ଭାଳିବେ । ଷ୍ଟକ ଏକ୍ସଚେଞ୍ଜକୁ ଶନିବାର ଏଲଆଇସି ଏହି ସୂଚନା ଦେଇଛି । ସିଦ୍ଧାର୍ଥ ମହାନ୍ତି ବର୍ତ୍ତମାନ ଏଲଆଇସି ହାଉସିଂ ଫାଇନାନ୍ସର ଏମଡି ଏବଂ ସିଇଓ ଅଛନ୍ତି । ୨୦୨୧ ଫେବ୍ରୁଆରୀ ୧ରେ ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଥିଲା । ୨୦୨୩ ଜୁନ ୩୦ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ । ଏଲଆଇସିର ନେତୃତ୍ୱ ଜଣେ ଅଧ୍ୟକ୍ଷ ଏବଂ ଚାରି ଜଣ ଏମଡି ହାତରେ ରହିଥାଏ । ବର୍ତ୍ତମାନ ସମୟରେ ବିଷ୍ଣୁ ଚରଣ ପଟ୍ଟନାୟକ, ଆଇପେ ମିନି, ସିଦ୍ଧାନ୍ତ ମହାନ୍ତି ଏବଂ ରାଜ କୁମାର କମ୍ପାନିରେ ଏମଡି ଅଛନ୍ତି । ଏମଆର କୁମାର କମ୍ପାନିର ଅଧ୍ୟକ୍ଷ ଅଛନ୍ତି ।

ଗ୍ରସ୍ ରିଟର୍ଣ୍ଣ ପ୍ରିମିୟମ ମାମଲାରେ ଏଲଆଇସି ହେଉଛି ଭାରତର ସବୁଠୁ ବଡ଼ ଏବଂ ବିଶ୍ୱର ପଞ୍ଚମ ବୃହତ ବୀମା କମ୍ପାନି । ଏହାସହ ମୋଟ ସମ୍ପତ୍ତି ମାମଲାରେ ଏହା ବିଶ୍ୱର ଦଶମ ସବୁଠୁ ବଡ଼ କମ୍ପାନି । ଅନ୍ୟପଟେ ବ୍ରାଣ୍ଡରେ ଏଲଆଇସି ହେଉଛି ବିଶ୍ୱର ତୃତୀୟ ସବୁଠୁ ଶକ୍ତିଶାଳୀ ବୀମା କମ୍ପାନି ।

Related Posts