ପେପରଲେସ କୋର୍ଟ ଲାଗୁ କରିବାରେ ପ୍ରଶଂସନୀୟ କାର୍ଯ୍ୟ କରିଛି ଓଡିଶା: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ଭୁବନେଶ୍ୱର,୬/୫(ସତ୍ୟପାଠ ବ୍ୟୁରୋ): ନ୍ୟାୟିକ ଭିତ୍ତିଭୂମିର ବିକାଶରେ ଓଡିଶା ଆଗୁଆ । ବିଶେଷ ଭାବରେ ଇ-କୋର୍ଟ ଏବଂ ପେପରଲେସ କୋର୍ଟ ଲାଗୁ କରିବାରେ ଓଡିଶାରେ ପ୍ରଶଂସନୀୟ କାର୍ଯ୍ୟ ହୋଇଛି ବୋଲି ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ କହିଛନ୍ତି । ସାରା ଦେଶରେ ଏଭଳି ବ୍ୟବସ୍ଥା ଲାଗୁ କରିବା ଲାଗି ସୁପ୍ରିମକୋର୍ଟ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଓଡିଶା, କେରଳ ଏବଂ ମଧ୍ୟ ପ୍ରଦେଶ ସରକାର ଏକ୍ଷେତ୍ରରେ ଯେପରି ସହାୟତା ଦେଇଛନ୍ତି, ତାହା ଅନ୍ୟ ରାଜ୍ୟରେ ହେଉନାହିଁ ବୋଲି ୨ ଦିନିଆ ଓଡ଼ିଶା ଗସ୍ତରେ ଥିବା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ କହିଛନ୍ତି ।

ଅନ୍ୟ ରାଜ୍ୟଗୁଡ଼ିକରେ ଇ-କୋର୍ଟ ଏବଂ ପେପରଲେସ କୋର୍ଟ ସଠିକ ଭାବେ ଲାଗୁ ନହେବା ଯୋଗୁଁ ପ୍ରଧାନ ବିଚାରପତି କ୍ଷୋଭ ପ୍ରକାଶ କରିଛନ୍ତି । ଡିଜିଟାଇଜେସନ, ପେପରଲେସ କୋର୍ଟ ଆଣ୍ତ ଇ ଇନିସିଏଟିଭ୍ ଉପରେ ଆଜିଠାରୁ କଟକରେ ଆରମ୍ଭ ହୋଇଛି ୨ ଦିନିଆ ଜାତୀୟ ସମ୍ମିଳନୀ । ଯାହାକୁ ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଉଦଘାଟନ କରିଛନ୍ତି । ଅଦାଲତି କାର୍ଯ୍ୟକୁ ପେପରଲେସ କରିବା ଏବଂ ଇ-କୋର୍ଟ ଭଳି ବ୍ୟବସ୍ଥା ଲାଗୁ କରିବାରେ ଓଡିଶା ପ୍ରଶଂସନୀୟ କାର୍ଯ୍ୟ କରିଛି। ଓଡ଼ିଶା ପରି ମଧ୍ୟପ୍ରଦେଶ ଏବଂ କେରଳରେ ମଧ୍ୟ ଆଖିଦୃଶିଆ କାମ ହୋଇପାରିଛି । ହେଲେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ପଛରେ ରହିଯାଇଛନ୍ତି । କିନ୍ତୁ ଯୁଗପୋଯୋଗୀ ପଦକ୍ଷେପ ନେବାଲାଗି ସମସ୍ତ ରାଜ୍ୟମାନେ ତ୍ବରିତ ବେଗରେ ପଦକ୍ଷେପ ନେବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନ ବିଚାରପତି।

ଡିଜିଟାଇଜେସନ, ପେପରଲେସ କୋର୍ଟ ଆଣ୍ତ ଇ ଇନିସିଏଟିଭ୍ ପ୍ରସଙ୍ଗରେ କଟକରେ ଆଜିଠାରୁ ଆରମ୍ଭ ହୋଇଛି ୨ ଦିନିଆ ଜାତୀୟ ସମ୍ମିଳନୀ । ଯେଉଁଥିରେ ଦେଶର ବିଭିନ୍ନ ହାଇକୋର୍ଟରୁ ଆସିଥିବା ପ୍ରାୟ ୩୦ ବିଚାରପତିଙ୍କ ସମେତ ଆମ ରାଜ୍ୟର ସମସ୍ତ ଡିଷ୍ଟ୍ରିକ୍ଟ ଜଜମାନେ ସାମିଲ ହୋଇଛନ୍ତି । ତେବେ ୟୁଟ୍ୟୁବ ଜରିଆରେ ଅଦାଲତି କାର୍ଯ୍ୟର ଯେଉଁ ଲାଇଭଷ୍ଟିମିଂ ହେଉଛି, ତାକୁ ସାମାଜିକ ଗଣମାଧ୍ୟମରେ କିପରି ଅପବ୍ୟବହାର କରାନଯିବ, ତା’ଉପରେ ଗୁରୁତ୍ବାରୋପ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ। ଯଦିଓ ସାଧାରଣ ଲୋକଙ୍କ ପାଇଁ ଏଭଳି ନୂତନ ବ୍ୟବସ୍ଥାମାନ ଲାଗୁ କରାଯାଉଛି, କିନ୍ତୁ ତାର ଅସଦବ୍ୟବହାରକୁ ମଧ୍ୟ ରୋକାଯିବା ଆବଶ୍ୟକ ବୋଲି କହିଛନ୍ତି ସିଜେଆଇ।

ଏହି ଅବସରରେ ଓଡିଶା ହାଇକୋର୍ଟର ମୁଖ୍ୟ ବଚାରପତି ଜଷ୍ଟିସ ଡଃ ଏସ ମୁରଲିଧର କହିଛନ୍ତି, ଆଇନ ଅଦାଲତଗୁଡିକର ସମସ୍ତ ରେକର୍ଡକୁ ଡିଜିଟାଲାଇଜ କରିବା ଲାଗି ଗତ କିଛି ବର୍ଷ ହେଲା ପ୍ରୟାସ ଜାର ରହିଛି, କିନ୍ତୁ ପେପରଲେସ ଭାବେ କୋର୍ଟ କାର୍ଯ୍ୟ କରିବାକୁ ଯେଉଁ ପଦକ୍ଷେପ ନିଆଯାଇଛି, ସେଥିରେ ସେତେଟା ସଫଳତା ମିଳିପାରିନାହିଁ। କାରଣ ଇକୋର୍ଟ ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ଅର୍ଥରାଶିର ଅଭାବ ରହୁଛି। ତେବେ ଏହା ଶତପ୍ରତିଶତ ଭାବେ କାର୍ଯ୍ୟକାରୀ ହୋଇପାରିଲେ, ଉଭୟ ବିଚାରପତି ଏବଂ ଆଇନଜୀବୀମାନଙ୍କ ପାଇଁ ବେଶ ଉପାଦେୟ ହୋଇପାରିବ। ପ୍ରକାରନ୍ତରେ ମହକିଲମାନେ ମଧ୍ୟ ଅନେକ ଫାଇଦା ପାଇପାରିବେ ବୋଲି ଜଷ୍ଟିସ ଡଃ ଏସ ମୁରଲିଧର କହିଛନ୍ତି।

Related Posts