ହୋଲିରେ ଭିଜିବ ଓଡ଼ିଶା; କମିବ ତାତି, ପଶ୍ଚିମା ଝଡ଼ ରାଜ୍ୟକୁ ଆଣିବ ବର୍ଷା

ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ତାତିରୁ ମିଳିବ ଆଶ୍ୱସ୍ତି। ବର୍ଷାରେ ଭିଜିବ ରଙ୍ଗର ପର୍ବ ହୋଲି । ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ବିଭିନ୍ନ ଜିଲ୍ଲାରେ ୧୧ ତାରିଖ ପର୍ଯ୍ୟନ୍ତ ବର୍ଷା ସହ ବଜ୍ରପାତ ହେବାନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ରାଜ୍ୟରେ ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମା ଝଡ଼ର ପ୍ରଭାବ ରହିବ । ୭ ଏବଂ ୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ଏବଂ ୯ ଓ ୧୦ ତାରିଖରେରେ ଆଭ୍ୟନ୍ତରୀଣ ସହ କିଛି ଉପକୂଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୧୦ ତାରିଖରେ ଖୋର୍ଦ୍ଧା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ପଶ୍ଚିମା ଝଡ଼ ପ୍ରଭାବ ରହିବ ।

୭ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି । ସେହିଭଳି ୮ ତାରିଖ ହୋଲି ଦିନ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ଅନ୍ୟପଟେ ଏବେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଆଗାମୀ ୫ ଦିନ ଯାଏ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ।

Related Posts