ଭୁବନେଶ୍ୱର,୨୯/୪(ସତ୍ୟପାଠ ବ୍ୟୁରୋ): ଆସନ୍ତା ମେ’ ମାସରେ ଓଡ଼ିଶାରେ ଭୀଷଣ ତାତି ଅନୁଭୂତ ହେବ । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ଗରମ ହେବ । ତେବେ ଉତ୍ତର ଓଡ଼ିଶାକୁ ଛାଡ଼ି ରାଜ୍ୟର ବାକି ଅଞ୍ଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଛି ।
ମେ ମାସ ପାଇଁ ଆଇଏମ୍ଡି ଜାରି କରିଥିବା ପୂର୍ବାନୁମାନ ଅନୁସାରେ, ପୂର୍ବ ଭାରତ ଓ କେନ୍ଦ୍ରୀୟ-ପୂର୍ବ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ।ତେବେ ଉତ୍ତର ପଶ୍ଚିମ ଭାରତ ଓ ପଶ୍ଚିମ କେନ୍ଦ୍ରୀୟ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍ ରହିବ।
ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଭୀଷଣ ତାତି ହେବ । ସ୍ୱାଭାବିକଠାରୁ ଅଧିକ ତାତି ହେବାର ସମ୍ଭାବନା ୫୫ରୁ ୬୫% ରହିଛି । କେବଳ ଗଜପତି ଜିଲ୍ଲାରେ ସ୍ୱାଭାବିକ ତାତି ହୋଇପାରେ । ମେ ମାସରେ ରାଜ୍ୟରେ ବର୍ଷା ସମ୍ଭାବନା କ୍ଷୀଣ । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ ବୋଲି ଆଇଏମ୍ଡି ପୂର୍ବାନୁମାନ ଦେଇଛି । ସେହିଭଳି ଦେଶର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍ ରହିପାରେ । ଉତ୍ତର ପଶ୍ଚିମ ଓ ପୂର୍ବ ଭାରତର କିଛି ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି ।
ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶର ପୂର୍ବଭାଗ, ଉପକୂଳ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ର ଉତ୍ତର ଭାଗ, ପୂର୍ବ ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଗୁଜୁରାଟର ଉତ୍ତର ଭାଗରେ ଆସନ୍ତା ମେ ମାସରେ ଗ୍ରୀଷ୍ମଲହରୀ ବହିପାରେ । ତେବେ ମେ ମାସରେ ବର୍ଷା ପରିମାଣ ସ୍ୱାଭାବିକ ରହିବ । ଉତ୍ତର ପଶ୍ଚିମ ଭାରତରେ ସ୍ୱାଭାବିକଠାରୁ ଅଧିକ ପରିମାଣର ବର୍ଷା ହୋଇପାରେ । ଉତ୍ତର ପୂର୍ବ ଭାରତ, ପୂର୍ବ କେନ୍ଦ୍ରୀୟ ଭାରତ ଓ ଦକ୍ଷିଣ ଉପଦ୍ୱୀପ ଅଞ୍ଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ ।
ସେପଟେ ଆସନ୍ତା ୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୩୦ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।





