ଓଡ଼ିଶା ଫେରୁଛନ୍ତି ରାଜ୍ୟପାଳ, ପୁଣି ଜୋର୍ ଧରିଲା ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା

ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): ଆଜି ଓଡ଼ିଶା ଫେରୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ପୁଣି ଜୋର୍ ଧରିଲା ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା। ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଜ୍ୟପାଳ ଓଡ଼ିଶା ଆସୁଛନ୍ତି। ତେବେ ହରିୟାଣା ଗସ୍ତରେ ଥିବା ରାଜ୍ୟପାଳ ଦିନକ ପାଇଁ ଆସି ପୁଣି ଫେରିଯିବେ।ଗୁରୁବାର ପୁଣି ହରିୟାଣା ଯାଇ ୨୨ ତାରିଖରେ ଓଡ଼ିଶା ଫେରିବେ।

ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟସୂଚୀରେ ହଠାତ୍ ପରିବର୍ତ୍ତନ ହୋଇଛି। ଆଜି ସନ୍ଧ୍ୟା ୮ଟାରେ ସେ ଓଡ଼ିଶା ଫେରିବେ। ଆସନ୍ତାକାଲି ପୁରୀରେ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରସର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସେ ଯୋଗଦେବେ ।ଏହା ପରେ ରାଜ୍ୟପାଳ ରାଜଭବନ ଫେରି ପୁଣି ହରିୟାଣା ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଏହି ସ୍ପଳ୍ପ ସମୟର ରହଣି ମଧ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ମନ୍ତ୍ରୀ ହେବା ରେସ ରେ ଥିବା କିଛି ନେତା ଦୁବାଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ନେତା ଆଜି ଭୁବନେଶ୍ୱର ଫେରୁଥିବା ସୂଚନା ମିଳିଛି । ତେଣୁ ଯେକୌଣସି ମୂହୁର୍ତ୍ତରେ ରାଜନୈତିକ ହଟ୍ଟଚମଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଗଣଶିକ୍ଷା ଓ ଶ୍ରମ ବିଭାଗର ଅତିରିକ୍ତ ଦାୟିତ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଦିଆଯାଇଥିଲା। ସେପଟେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ତୁଲାଉଛନ୍ତି। ତେଣୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲି ପଡ଼ିଥିବା ୩ ପଦ ପାଇଁ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Related Posts