ଜାତୀୟ ହାରଠାରୁ ଅଧିକ ଓଡ଼ିଶାର ଶିଶୁ ମୃତ୍ୟୁହାର, କମାଇବାକୁ ସରକାରଙ୍କ ବିଭିନ୍ନ ପଦକ୍ଷେପ

ଭୂବନେଶ୍ୱର: ଓଡ଼ିଶାରେ ଶିଶୁ ମୃତ୍ୟୁହାର ଜାତୀୟ ହାରଠାରୁ ଏବେ ମଧ୍ୟ ଅଧିକ ରହିଛି। ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ।କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, SRS ସର୍ଭେ ଅନୁଯାୟୀ ଦେଶର ଶିଶୁ ମୃତ୍ୟୁହାର ୨୫ ଥିବା ବେଳେ ଓଡ଼ିଶାରେ ଏହା ୩୦ ରହିଛି। ତେବେ ଗତ ୧୦ ବର୍ଷରେ ଜାତୀୟ ସ୍ତରରେ ଶିଶୁ ମୃତ୍ୟୁହାର ୧୫ ଇଉନିଟ୍ କମିଥିବା ବେଳେ ଓଡ଼ିଶାରେ ଏହା ୨୧ ଇଉନିଟ୍ ହ୍ରାସ ପାଇଥିବା କଥା ସେ କହିଛନ୍ତି।ଶିଶୁ ମୃତ୍ୟୁହାର କମାଇବା ପାଇଁ ସରକାର ଗତ ଦେଢ଼ ବର୍ଷ ଧରି ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଗ୍ରାମ ସ୍ତରରେ ପ୍ରତି ମାସ VHSND କାର୍ଯ୍ୟକ୍ରମ ମାଧ୍ୟମରେ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବିପଦପୂର୍ଣ୍ଣ ଗର୍ଭ ଚିହ୍ନଟ କରାଯାଉଛି। ଏହି ମହିଳାମାନଙ୍କୁ ଉଚ୍ଚତର ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଚିକିତ୍ସା ସୁବିଧା ଦିଆଯାଉଛି।ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳାଙ୍କ ସୁବିଧା ପାଇଁ ମାଆ ଗୃହ ବ୍ୟବସ୍ଥା ମଧ୍ୟ କରାଯାଇଛି। ସହଜ ପ୍ରସବ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ହସ୍ପିଟାଲ ଓ ମେଡିକାଲ କଲେଜରେ ୧୦ଟି MLCU ସ୍ଥାପନ କରାଯାଇଥିବା ବେଳେ ୧୦୯ ଜଣ ତାଲିମପ୍ରାପ୍ତ ସେବିକାଙ୍କୁ ନିଯୁକ୍ତ କରାଯାଇଛି।ନବଜାତ ଶିଶୁଙ୍କ ଯତ୍ନ ପାଇଁ ସମସ୍ତ ପ୍ରସବ ଗୃହରେ ବିଶେଷ ବ୍ୟବସ୍ଥା କରାଯାଇଛି। ଅସୁସ୍ଥ ଶିଶୁଙ୍କୁ NBSU ଓ SNCU କେନ୍ଦ୍ରରେ ଚିକିତ୍ସା ଦିଆଯାଉଛି। ଗତ ଦେଢ଼ ବର୍ଷ ମଧ୍ୟରେ ଗୋଟିଏ SNCU ଓ ୧୫ଟି NBSU ସ୍ଥାପନ କରାଯାଇଛି।ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ଗତ ବର୍ଷ ୧୦,୮୮୮ ଜଣ କମ୍ ଓଜନର ନବଜାତ ଶିଶୁ ସ୍ୱତନ୍ତ୍ର ଯତ୍ନ କେନ୍ଦ୍ରରେ ଚିକିତ୍ସା ପାଇ ସୁସ୍ଥ ହୋଇପାରିଛନ୍ତି।ଏହାସହ ୨୮ଟି ସ୍ତନ୍ୟପାନ ପରିଚାଳନା କେନ୍ଦ୍ର ସ୍ଥାପନ କରାଯାଇଛି ଓ HBNC କାର୍ଯ୍ୟକ୍ରମ ଅନୁସାରେ ଆଶା କର୍ମୀମାନେ ନବଜାତ ଶିଶୁଙ୍କ ଘରକୁ ଯାଇ ଯତ୍ନ ନେଉଛନ୍ତି।ସରକାରଙ୍କ ଦାବି ଅନୁଯାୟୀ, ଏହି ସମସ୍ତ ପଦକ୍ଷେପ ଫଳରେ ଆସନ୍ତା ଦିନରେ ଓଡ଼ିଶାରେ ଶିଶୁ ମୃତ୍ୟୁହାର ଆହୁରି କମିବାର ଆଶା ରହିଛି।

Related Posts