ଅଗଷ୍ଟ ୧୬ରେ ମହାସଚିବ ଓ ରାଜ୍ୟ ପ୍ରମୁଖ ମାନଙ୍କ ବୈଠକ ଡକାଇଲା କଂଗ୍ରେସ; ଦେଶରେ ଦରଦାମ୍‌ ବୃଦ୍ଧି ବିରୋଧରେ ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ ଦରଦାମ୍‌ ବୃଦ୍ଧି-ବେରାଜଗାରି ବିରୋଧରେ କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ଏକ ବଡ଼ ଧରଣର ରାଲି କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ସହିତ ଦେଶବ୍ୟାପି ଦରଦାମ ବୃଦ୍ଧି ନେଇ ଆନ୍ଦୋଳନ କରାଯିବାକୁ ଦଳ ନିଷ୍ପତ୍ତି ଗ୍ରହଣ କରିଛି। ଏଥିପାଇଁ ଅଗଷ୍ଟ ୧୬ ତାରିଖରେ କଂଗ୍ରେସ ପକ୍ଷରୁ ସମସ୍ତ ମହାସଚିବ ଓ ରାଜ୍ୟ ପ୍ରମୁଖ ମାନଙ୍କ ବୈଠକ ଡକାଯାଇଛି। ବୈଠକରେ ଦରଦାମ୍‌ ବୃଦ୍ଧି-ବେରୋଜଗାରି ବିରୋଧରେ ନୂଆ ରଣନୀତି ପ୍ରସ୍ତୁତ କରାଯିବ। ଏହାପରେ ଅଗଷ୍ଟ ୧୭ରୁ ୨୩ ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଲି ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏନେଇ କଂଗ୍ରେସ ମହାସଚିବ ଜୟରାମ ରମେଶ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଭାଜପା ସରକାର ଦେଶରେ ଦରଦାମ ବୃଦ୍ଧି ଏବଂ ବେରୋଜଗାରି ରୋକିବାରେ ଅସଫଳ ହୋଇଛନ୍ତି। ସରକାରଙ୍କ ତ୍ରୁଟିଯୁକ୍ତ ଆର୍ଥିକ ନୀତି ଯୋଗୁ ଦେଶବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ସେ କହିଛନ୍ତି। ସରକାରଙ୍କ ଜନବିରୋଧୀ ନୀତି ସମ୍ପର୍କରେ ଦେଶବ୍ୟାପି କଂଗ୍ରେସ ସଚେତନତା ସୃଷ୍ଟି କରିବ ବୋଲି ସେ କହିଛନ୍ତି।

Related Posts