ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ ଆଉ ଏକ ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ ଆସନ୍ତା ୩ ଦିନ ଅଥାର୍ତ ୧୮,୧୯ ଓ ୨୦ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଏପରିକି କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ।ସେହିପରି ଆଗାମୀ ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ଉପକୂଳ ଓଡ଼ିଶାରେ ଲଘୁଚାପର ପ୍ରଭାବ ଅଧିକ ରହିବ । ଏହି ସମୟରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିଭଳି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛନ୍ତି ଉମାଶଙ୍କର ।
ସେହିଭଳି ୧୯ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳବର୍ତ୍ତୀ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅବଶିଷ୍ଟ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳରେ ପାଣି ଜମିପାରେ । ଚାଷ ଜମି ଗୁଡିକରେ ମଧ୍ୟ ପାଣି ଜମି ରହିବାର ସମ୍ଭାବନା ରହିଛି । ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।
ସେହିପରି ୨୦ ତାରିଖରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷା ହେବ । ତେବେ ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ କମ ରହିବ । ୨୧ ତାରିଖରୁ ବର୍ଷାର ପ୍ରଭାବ ରାଜ୍ୟରେ କମିବ । ଲଘୁୁଚାପ ପାଇଁ ୧୯ ଓ ୨୦ ତାରିଖ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ଗଭୀର ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି । ଲଘୁଚାପ କାରଣରୁ ଉପରମୁଣ୍ଡ ଛତିଶଗଡରେ ସେତେଟା ବର୍ଷା ହେବନି ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ।





