ଆସନ୍ତା ୯ ତାରିଖରେ ହେବ ମହାପ୍ରଭଙ୍କୁ ବନକଲାଗି ନୀତି

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ବହୁ ବାଦ ବିବାଦ ପରେ ବନକଲାଗି ନୀତି ବିବାଦ ଘଟିଲା ଅନ୍ତ। ଆସନ୍ତା ୯ ତାରିଖ ଅର୍ଥାତ ବୁଧବାର ହେବ ମହାପ୍ରଭଙ୍କୁ ବନକଲାଗି ନୀତି। ରତ୍ନସିଂହାସନରେ ହେବ ଶ୍ରୀଜିଉଙ୍କ ହେବ ଶ୍ରୀମୁଖ ସିଂହାର। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ, ଦୀର୍ଘ ଏକ ମାସ ଧରି ଦତ୍ତମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବନକଲାଗି ନୀତି ଲାଗି ବିବାଦ ଲାଗିରହିଥିଲା । ଫଳରେ ମାସାଧିକ ହେଲା ଠାକୁରଙ୍କ ଶ୍ରୀମୁଖ ସିଂହାର ହୋଇ ନାହିଁ । ମଳିନ କଳାଶ୍ରୀମୁଖଙ୍କୁ ଦର୍ଶନ କରି ଉଦ୍‌ବେଗ ପ୍ରକାଶ କଲେଣି କୋଟି କୋଟି ଜଗନ୍ନାଥ ପ୍ରେମୀ । ବନକଲାଗି ବିବାଦର ତୁରନ୍ତ ସମାଧାନ ପାଇଁ ନୀତି ସବ୍‌କମିଟି ବୈଠକ ଡକା ହେଲା । ସେଥିରେ ଆଲୋଚନା ହୋଇ ନିଷ୍କର୍ସ ନବାହାରିବାରେ ପୁନଃ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ହେବାକୁ ମଙ୍ଗଳବାରକୁ ଅପେକ୍ଷା ରହିଥିଲା । ହେଲେ କୌଣସି କାରଣରୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥିଗିତ କରାଯାଇଥିଲା। ଇତି ମଧ୍ୟରେ ଗୁରୁବାର ଓ ବୁଧବାର ବନକଲାଗି ପାଇଁ ଲିଖିତାକାରେ ଦତ୍ତମହାପାତ୍ରମାନେ ପ୍ରସ୍ତୁତ ଥିବା ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଥିଲେ। ଏହା ପରେ ଆସନ୍ତା ୯ ତାରିଖରେ ଅର୍ଥାତ ବୁଧବାର ଦିନ ବନକଲାଗି ନୀତି କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦତ୍ତମହାପାତ୍ର ନିଯୋଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା କାଲି ଶ୍ରୀମନ୍ଦିରରେ ବିଶେଷ ନୀତି ଥିବାରୁ ହେବନି ବନକଲାଗି ନୀତି ।ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି ପାଇଁ ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Related Posts