ଟିଉସନରୁ ଫେରିବା ସମୟରେ ହାଇୱା ଧକ୍କାରେ ଚାଲିଗଲା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଜୀବନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ଘଟିଛି ଅଘଟଣ । ହାଇୱା ଧକ୍କାରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଅଘଟଣ ଘଟିଛି । ମୃତ ଛାତ୍ରୀ ହେଉଛନ୍ତି ଡେରାବିଶ ବ୍ଲକ୍ ଅନ୍ତର୍ଗତ ବସପୁରର ସୁବାସ ଲେଙ୍କାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଲେଙ୍କା।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଲକ୍ଷ୍ମୀପ୍ରିୟା ନିଜ ଗାଁକୁ ସାଇକେଲରେ ଟିଉସନରୁ ଫେରୁଥିବା ବେଳେ ହାଇୱାଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ହାଇୱା ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରକୁ ମାଡ଼ ମାରି ତାକୁ ପୁଲିସ ଜିମାରେ ଦେଇଥିଲେ। ଏଣେ ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି।

ଖବର ପାଇ ଏସଡିପିଓ ରାଜୀବଲୋଚନ ପଣ୍ଡା, ମାର୍ଶାଘାଇ ଥାନା ଅଧିକାରୀ ପ୍ରଦୀପ କୁମାର କାନୁନଗୋ ଓ ସଦର ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ କରୁଛନ୍ତି ।

Related Posts