ମୋ ମୃତ୍ୟୁ ପାଇଁ କେବଳ ମନ୍ତ୍ରୀ ଇଶ୍ୱରପ୍ପା ହିଁ ଦାୟୀ; ମୃତ୍ୟୁ ପୂର୍ବରୁ ସୁଇସାଇଟ ନୋଟରେ ଏପରି ଲେଖିଲେ ଠିକାଦାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ ଇଶ୍ୱରପ୍ପାଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ତେବେ ଏକ ଠିକାକାମ ପାଇଁ ୪୦ ପ୍ରତିଶତ କମିଶନ ଦାବି ଅଭିଯୋଗ ଆଣିଥିବା ଜଣେ ଠିକାଦାରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ଉଡ଼ୁପିସ୍ଥିତ ଏକ ଲଜରୁ ତାଙ୍କ ମୃତ ଦେହ ମିଳିଛି । ପୋଲିସର ଜଣେ ବରିଷ୍ଠ ଅଧିକାରୀ ମୃତ ବ୍ୟକ୍ତିଙ୍କୁ ସନ୍ଥୋଶ ପାଟିଲ (୪୦) ବୋଲି ଚିହ୍ନଟ କରି ମଙ୍ଗଳବାର ସକାଳେ ଉଦୁପିର ଶମ୍ଭବି ହୋଟେଲରେ ତାଙ୍କୁ ମୃତଦେହ ମିଳିଥିବା କହିଛନ୍ତି। ସେପଟେ ସନ୍ତୋଷ ମୃତ୍ୟୁ ପୂର୍ବରୁ ଭୋର ସମୟରେ ଗଚ୍ଚମାଧ୍ୟମ ଓ ନିଜ ବନ୍ଧୁମନେଙ୍କୁ ଶେଷ ମେସେଜ ପଠାଇଥିଲେ । ସେଥିରେ ସେ ମୃତ୍ୟୁ ପାଇଁ ଈଶ୍ୱରପ୍ପାଙ୍କୁ ଦାୟୀ କରିଥିଲେ । ମନ୍ତ୍ରୀଙ୍କ ଯୋଗୁଁ ସେ ଆତ୍ମହତ୍ୟା କରିବାକୁ ଯାଉଥିବା ଦର୍ଶାଇଥିଲେ । ଠିକାଦାର ସନ୍ତୋଷଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମିଳିଛି । ସେଥିରେ ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ଓ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଓ ବରିଷ୍ଠ ବିଜେପି ନେତା ବି.ଏସ, ୟେଦୁରପ୍ପାଙ୍କୁ ଅନୁରୋଧ କରିଛନ୍ତି ।

ତେବେ ଆରଡିପିଆର ମନ୍ତ୍ରୀ ଜେ.ଏସ ଈଶ୍ୱରପ୍ପା ହିଁ ମୋ ମୃତ୍ୟୁ ପାଇଁ ଦାୟୀ । ମୁଁ ମୋର ସବୁ ଆଶା ଆକାଂକ୍ଷାକୁ ଏଡ଼ାଇଦେଇ ଏହି ଚରମ ନିଷ୍ପତ୍ତି ନେଉଛି । ମୋ ସ୍ତ୍ରୀ ଓ ପିଲାଛୁଆଙ୍କୁ ସାହାଯ୍ୟ କରିବା ପାଇଁ ଆମ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପ୍ରିୟ ଲିଙ୍ଗାୟତ ନେତା ବିଏସୱାଇଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛି ବୋଲି ସୁଇସାଇଡ ନୋଟରେ ସେ ଲେଖିଛନ୍ତି । ଅନ୍ୟପଟେ ସନ୍ତୋଷଙ୍କ ମୃତ୍ୟୁକୁ ନେଇ ଈଶ୍ୱରପ୍ପା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ଗଚ୍ଚମାଧ୍ୟମରୁ ଏହି ଆତ୍ମହତ୍ୟା ବିଷୟରେ ଶୁଣିବାକୁ ପାଇଛନ୍ତି । ମୃତକଙ୍କୁ ସେ ଚିହ୍ନିନାହାନ୍ତି । ହେଲେ ସନ୍ତୋଷ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ନିକଟକୁ ଏକ ପତ୍ର ଲେଖି ୪ କୋଟି ଟଙ୍କାର ଏକ ଠିକା କାମ ପାଇଁ ଈଶ୍ୱରପ୍ପା ତାଙ୍କୁ ୪୦ ପ୍ରତିଶତ କମିଶନ ମାଗିଥିବାର ଅଭିଯୋଗ ଆଣିଥିଲେ । ଗତମାସ ଈଶ୍ୱରପ୍ପା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ବିରୋଧୀ କଂଗ୍ରେସ ମନ୍ତ୍ରୀ ଈଶ୍ୱରପ୍ପାଙ୍କ ଇସ୍ତଫା ସହ ତାଙ୍କ ବିରୋଧରେ ଏଫଆଇଆର ଏବଂ ମାମଲାର ନିରପେକ୍ଷ ତଦନ୍ତ ଦାବି କରିଥିଲେ ।

ଏନେଇ ଈଶ୍ୱରପ୍ପା ମଧ୍ୟ ବଡ଼ ବୟାନ ଦେଇଛନ୍ତି । ତେବେ ଇସ୍ତଫା ଦେବାର ପ୍ରଶ୍ନ ଉଠୁ ନାହିଁ । ସନ୍ତୋଷ ପାଟିଲଙ୍କ ବିରୋଧରେ ସେ ଦାଏର କରିଥିବା ମାମଲାର କୋର୍ଟ ରାୟକୁ ଅପେକ୍ଷା କରିବାକୁ ପଡ଼ିବ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ମୃତ୍ୟୁରେ ମୋଦି ଓ ବୋମାଇଙ୍କ ସମ୍ପୃକ୍ତି ଥିବା ଦର୍ଶାଇଛନ୍ତି । ସେପଟେ କର୍ଣ୍ଣାଟକର କଂଗ୍ରେସ ସଭାପତି ଡି.କେ ଶିବକୁମାର କହିଛନ୍ତି ଯେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା । ବିଜେପି ମୁହଁରେ ଟିକିଏ ବି ଲଜ୍ଜା ଥିଲେ ସେମାନେ ମନ୍ତ୍ରୀଙ୍କୁ ତୁରନ୍ତ ଗିରଫ କରାନ୍ତୁ । ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟାର ବିଚାରବିଭାଗୀୟ ତଦନ୍ତ ସମୟବଦ୍ଧ ଭାବେ କରାଯାଉ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts