ଭୁବନେଶ୍ୱର: ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ଓଡ଼ିଶା ପୋଲିସ ଚଲାଇଥିବା ରାଜ୍ୟବ୍ୟାପୀ ବିଶେଷ ଅଭିଯାନ “ଅପରେସନ ସାଇବର କବଚ”ରେ ଉଲ୍ଲେଖନୀୟ ସଫଳତା ମିଳିଛି। ଗତ ୧୩ ଫେବୃଆରୀରୁ ୧୨ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ୩୯,୭୧୪ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିବା ବେଳେ ୩୭୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେଥିପାଇଁ ୭୫୪୯ ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସହଯୋଗୀଙ୍କୁ ନୋଟିସ୍ ଜାରି କରାଯାଇଛି।ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ଯେ, ସାଇବର ଠକେଇର ମୂଳ ଆଧାର ଥିବା ମ୍ୟୁଲ୍ ଆକାଉଣ୍ଟ ଓ ନକଲି ସିମ୍ ନେଟୱର୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି।ଅଭିଯାନ ସମୟରେ ମ୍ୟୁଲ୍ ଆକାଉଣ୍ଟ, ଏଟିଏମ ଟଙ୍କା ଉଠାଣ, ଚେକ୍ ମାଧ୍ୟମରେ ଟଙ୍କା ହସ୍ତାନ୍ତର ଓ ନକଲି ସିମ୍ ସମ୍ପର୍କିତ ଅନେକ ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଝାରସୁଗୁଡ଼ା, ସମ୍ବଲପୁର, ରାଉରକେଲା, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ନୁଆପଡା, ଭୁବନେଶ୍ୱର, କଟକ, ବାଲେଶ୍ୱର, ଭଦ୍ରକ, ପୁରୀ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ ବଡ଼ ବଡ଼ ସାଇବର ଠକେଇ ଗ୍ୟାଙ୍ଗକୁ ଧ୍ୱଂସ କରାଯାଇଛି।ଏହି ଅଭିଯାନରେ କୋଟି କୋଟି ଟଙ୍କାର ଆର୍ଥିକ ଠକେଇର ପର୍ଦ୍ଦାଫାଶ ହେବା ସହ ଅନେକ ଆନ୍ତର୍ରାଜ୍ୟ ଗ୍ୟାଙ୍ଗକୁ ଧରାପଡ଼ାଯାଇଛି। ଅଭିଯୁକ୍ତମାନଙ୍କ ନିକଟରୁ ବହୁ ସଂଖ୍ୟକ ସିମ୍ କାର୍ଡ, ଏଟିଏମ କାର୍ଡ, ଡିଜିଟାଲ ଡିଭାଇସ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।ଏହି ସଫଳତା ପାଇଁ ସିଆଇଡି କ୍ରାଇମ୍ ବ୍ରାଞ୍ଚ, ବ୍ୟାଙ୍କ ଓ ଟେଲିକମ୍ ସଂସ୍ଥାମାନଙ୍କ ସମନ୍ୱୟକୁ ଡିଜିପି ପ୍ରଶଂସା କରିଛନ୍ତି। ସାଇବର ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ପୋଲିସର ଏହି ପ୍ରୟାସ ଆଗାମୀଦିନରେ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।





