ଦିଲ୍ଲୀରେ ଅପରେସନ ଲୋଟସ ଫେଲ୍, ଆପ ର ୪ ବିଧାୟକଙ୍କୁ ୨୦ କୋଟି ଟଙ୍କା ଅଫର୍ ଦେଇଥିଲା ବିଜେପି: ସଞ୍ଜୟ ସିଂହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଅବକାରୀ ଦୁର୍ନୀତିକୁ ନେଇ ରାଜନୈତିକସ୍ତରରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଏହାରି ଭିତରେ ବୁଧବାର ଆମ ଆଦମୀ ପାର୍ଟି(ଆପ) ଏକ ଗଣମାଧ୍ୟମ ସମ୍ମିଳନୀ କରିଛି। ଆପର ସାଂସଦ ସଞ୍ଜୟ ସିଂ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ସହିତ ସେ କେନ୍ଦ୍ର ସରକାରଙ୍କ ଉପରେ ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ସଞ୍ଜୟ କହିଛନ୍ତି ଯେ, ମୋଦି ସରକାରଙ୍କ ଏହି ହୀନ ଉଦ୍ଦେଶ୍ୟର ପର୍ଦ୍ଦାଫାଶ୍‌ ହୋଇଛି। ଭାଜପା ପକ୍ଷରୁ ଆପ ର ବିଧାୟକଙ୍କୁ ନିଜ ଦଳକୁ ନେବାକୁ ୨୦ କୋଟି ଟଙ୍କାର ଅଫର ଦିଆଯାଇଛି। ମାତ୍ର ଆପ ର ବିଧାୟକ ମାନେ ଅରବିନ୍ଦ କେଜରିୱାଲଙ୍କ ସୈନିକ, ସେମାନେ ଭାଜପା ସାମ୍ନାରେ କେବେହେଲେ ବିକ୍ରି ହେବେ ନାହିଁ। ସଞ୍ଜୟ ସିଂ ଦାବି କରିଛନ୍ତି ଯେ ଭାଜପା ଆପର ଚାରିଜଣ ବିଧାୟକ ସଞ୍ଜିବ ଝା, ସୋମନାଥ ଭାରତୀ, ଅଜୟ ଦତ୍ତ ଏବଂ କୁଲଦୀପ କୁମାରଙ୍କୁ ନିଜ ଆଡ଼କୁ ନେବାକୁ ଚେଷ୍ଟା କରିଛି ଏବଂ ସେମାନଙ୍କୁ ୨୦ କୋଟି ଟଙ୍କା ଲେଖାଏଁ ଅଫର ଦେଇଛି। କିନ୍ତୁ ଦିଲ୍ଲୀରେ ଏହାର ଉଦ୍ଦେଶ୍ୟରେ ଭାଜପା ସଫଳ ହେବ ନାହିଁ। ଫଳରେ ପୁଣିଥରେ ଭାଜପାର ଅପରେଶନ ଲୋଟସ ଫେଲ୍‌ ହୋଇଛି।

ଏହାପୂର୍ବରୁ ମଙ୍ଗଳବାର ଆମ ଆଦମୀ ପାର୍ଟି ମୁଖପାତ୍ର ସୌରଭ ଭରଦ୍ୱାଜ କହିଥିଲେ ଯେ ଦ୍ୱିତୀୟ ଥର ପାଇଁ ବିଜେପିର ଅପରେଶନ ଲୋଟସ ବିଫଳ ହୋଇଛି। ୨୦୧୪ ପରେ ଏବେ ୨୦୨୨ରେ ଭାଜପାର ଅପରେଶନ ଲୋଟସ କାମ କରିନାହିଁ। ୨୦୧୪ରେ, ବିଜେପି ଆପ ବିଧାୟକଙ୍କୁ ୫ କୋଟି ଟଙ୍କା ଲେଖାଏଁ ଅଫର ଦେଇଥିଲା। ବର୍ତ୍ତମାନ ଦଳରେ ଯୋଗଦେବା ପାଇଁ ଭାଜପା ମନୀଷ ସିସୋଡିଆଙ୍କୁ ଅଫର ଦେଇଛି। ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ଯେ ଅପରେଶନ ଲୋଟସ ଭାଜପା ମୁଖ୍ୟାଳୟରୁ ଆରମ୍ଭ ହୋଇଥାଏ। ଯେଉଁ ରାଜ୍ୟରେ ଭାଜପା ପରାଜିତ ହୁଏ ସେଠାରେ ଅନ୍ୟ ଦଳର ବିଧାୟକ କିଣି ସରକାର ଗଠନ କରେ ବୋଲି ସେ ଅଭିଯୋଗ କରିଛନ୍ତି।

Related Posts