ନିଜର କଳା ଇତିହାସକୁ ଲୁଚେଇବାକୁ ‘ୟୁପିଏ’ର ନାଁ ବଦଳେଇ ବିରୋଧୀ ‘ଇଣ୍ଡିଆ’ କରିଛନ୍ତି: ମୋଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଏବେ ରାଜ୍ୟ ରାଜନୀତି ସରଗରମ। ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ୱରେ ଥିବା କଂଗ୍ରେସ ସରକାରକୁ ହଟାଇବାକୁ ଏବେ ପ୍ରଧାନମନ୍ତ୍ରୀ ମୋଦୀ ମାରାଥନ ରାଜସ୍ଥାନ ଗସ୍ତ କରୁଛନ୍ତି। ଏହି କ୍ରମରେ ଆଜି ରାଜସ୍ଥାନର ସିକରରେ ବିରୋଧୀଙ୍କ ମିଳିତ ମେଣ୍ଟର I.N.D.I.A ନାମକୁ କଟାକ୍ଷ କରିବା ସହ ରାଜ୍ୟର ଅଶୋକ ଗେହଲଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୋଦି।

ବିରୋଧୀ ନିଜର କଳା ଇତିହାସକୁ ଲୁଚେଇବା ପାଇଁ ୟୁପିଏର ନାଁ ବଦଳେଇ ଇଣ୍ଡିଆ କରିଛନ୍ତି ବୋଲି ମୋଦି କହିଛନ୍ତି। Popular Front of India ଓ ଇଷ୍ଟ୍ ଇଣ୍ଡିଆ କମ୍ପାନୀର ଉଦାହରଣ ଦେଇ ମୋଦି କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଅନେକ ଇଣ୍ଡିଆ ନାମଧାରୀ ଭାରତକୁ ଲୁଟିବା ପାଇଁ ଆସିଛନ୍ତି। ପୂର୍ବରୁ କୌଣସି ଠକ କମ୍ପାନୀ ନୂତନ ବୋର୍ଡ ଲଗାଇ ଲୋକଙ୍କୁ ଯେଭଳି ବୋକା ବନାଉଥିଲେ। କଂଗ୍ରେସ ଏବଂ ଏହାର ସହଯୋଗୀମାନେ ଏବେ ସମାନ କମ୍ପାନୀଗୁଡିକୁ କପି କରୁଛନ୍ତି ବୋଲି ମୋଦି କହିଛନ୍ତି ।

ସେହିପରି ରାଜସ୍ଥାନର କଂଗ୍ରେସ ସରକାର କୁ ଟାର୍ଗେଟ କରି ମୋଦୀ କହିଛନ୍ତି ଯେ, ରାଜସ୍ଥାନରେ ଦଳିତଙ୍କ ଉପରେ ଅତ୍ୟାଚାର ଚରମ ସୀମାରେ ପହଞ୍ଚିଛି। ନିଶା କାରବାର ବୃଦ୍ଧି ପାଉଛି। ରାଜସ୍ଥାନବାସୀ ନିଜ ଭଉଣୀ ଏବଂ ଝିଅଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ସହ୍ୟ କରିପାରିବେ ନାହିଁ। ଜଣେ ଦଳିତ ଭଉଣୀ ତାଙ୍କ ସ୍ୱାମୀଙ୍କ ସାମ୍ମୁଖରେ ଗଣଦୁଷ୍କର୍ମର ଶିକାର ହେଲେ। ଅଭିଯୁକ୍ତମାନେ ଏହାର ଭିଡିଓ ସୁଟ୍ କଲେ, କିନ୍ତୁ ପୁଲିସ FIR ରଖିଲା ନାହିଁ। ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଛୋଟ ଝିଅ ଏବଂ ଶିକ୍ଷକମାନେ ମଧ୍ୟ ସୁରକ୍ଷିତ ନାହାଁନ୍ତି। କଂଗ୍ରେସ ନେତାମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୀଡିତା ମହିଳା ମିଥ୍ୟା ଅଭିଯୋଗ କରିଥିବା କହୁଛନ୍ତି।

ସେହିପରି ମୋଦିଙ୍କ ଟାର୍ଗେଟ ପରେ ଏହାର ଜବାବ୍ ଦେଇ ମଣିପୁର ପ୍ରସଙ୍ଗ ସହିତ ବଢୁଥିବା ଗ୍ୟାସ ଓ ଟମାଟୋ ଦର ପ୍ରସଙ୍ଗ ଉଠାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

Related Posts