ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନରେ ‘ବିଜେପି’କୁ ମାତ ଦେବାପାଇଁ ଏକାଠି ହୋଇଛନ୍ତି ବିରୋଧୀ | 26 ବିରୋଧୀ ଦଳ ମିଶି ଗତକାଲି ବେଙ୍ଗାଲୁରୁରେ ‘ଇଣ୍ଡିଆ’ ମେଣ୍ଟ ଗଠନ କରିଛନ୍ତି | ବିରୋଧୀ ଦଳମାନେ ଏହି ମେଣ୍ଟର ଟ୍ୟାଗ୍ଲାଇନ୍’ ରଖିଛନ୍ତି ‘ଜିତେଗା ଭାରତ୍’।
ବହୁ ବିଚାର ଆଲୋଚନା ପରେ ଗତ ବିଳମ୍ବିତ ରାତ୍ରରେ ‘ଜିତେଗା ଭାରତ୍’ (ଭାରତ ଜିତିବ) ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। କେତେଗୁଡ଼ିଏ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ‘ଟ୍ୟାଗ୍ଲାଇନ୍’ ବ୍ୟବହାର କରାଯିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ।
୨୬ ବିରୋଧୀ ଦଳ ମେଣ୍ଟର ନାଁ ‘INDIA’ (ଇଣ୍ଡିଆନ୍ ନ୍ୟାସ୍ନାଲ୍ ଡେଭ୍ଲପ୍ମେଣ୍ଟାଲ୍ ଇନ୍କ୍ଲୁସିଭ୍ ଆଲାଏନ୍ସ୍) ରଖିବାକୁ ମଙ୍ଗଳବାର ଦିନ ବେଙ୍ଗାଲୁରୁରେ ୨ଦିନିଆ ବୈଠକରେ ବିରୋଧୀ ଦଳର ନେତାମାନେ ସ୍ଥିର କରିଥିଲେ। ମେଣ୍ଟର ନାଁ ‘ଭାରତ’କୁ ପ୍ରଦର୍ଶନ କରିବା ଉଚିତ ବୋଲି ସେମାନେ ଚିନ୍ତା କରିଥିଲେ। କିନ୍ତୁ, ଏଥିରେ ଗୋଟାଏ ‘ଟ୍ୟାଗ୍ଲାଇନ୍’ ସଂଯୋଗ କରିବା ଲାଗି ପରେ ସେମାନେ ନିଷ୍ପତ୍ତି ଗ୍ରହଣ କରିଥିଲେ। ତେଣୁ, ଶେଷରେ କେତେ ଜଣ ନେତାଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ‘ଜିତେଗା ଭାରତ’ ଟ୍ୟାଗ୍ଲାଇନ୍କୁ ଗୃହୀତ କରାଯାଇଥିଲା।





