ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୧ର ଚୂଡାନ୍ତ ଚୟନ ପ୍ରକ୍ରିୟା ଜାରି ରହିଥିଲେ ବି ଫଳ ପ୍ରକାଶ ଉପରେ ଅଙ୍କୁଶ ଲଗାଇଛନ୍ତି ହାଇକୋର୍ଟ। ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ଫଳରେ ଏବେ ରେଜଲ୍ଟ ପ୍ରକାଶ ପାଇବନାହିଁ | ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସତୀଶ କୁମାରଙ୍କଙ୍କୁ ୪୦% ଭିନ୍ନକ୍ଷମ ବୋଲି ଦର୍ଶାଯାଇଥିବା ବେଳେ ସେ କିନ୍ତୁ ନିଜକୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ବୋଲି ଦାବି କରିଛନ୍ତି। ଏଥିସହ ଏବେ ଜାରି ରହିଥିବା ପର୍ସନାଲିଟି ଟେଷ୍ଟରେ ସାମିଲ କରାଯାଇ ନଥିବାରୁ ଏହାକୁ ବିରୋଧ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସତୀଶଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଡିଜାବଲିଟି ଟେଷ୍ଟ ପାଇଁ ମେଡିକାଲ ବୋର୍ଡ଼ ଗଠନ କରିବେ ରାଜ୍ୟ ସରକାର। ଏହାବାଦ ତାଙ୍କୁ ଏବେ ଚାଲିଥିବା ପର୍ସନାଲିଟି ଟେଷ୍ଟରେ ସାମିଲ କରିବ OPSC। ଏହି ମାମଲାର ଶୁଣାଣି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହେବ । ଆସନ୍ତା ଶୁଣାଣିରେ ମେଡିକାଲ ବୋର୍ଡ ସତୀଶଙ୍କ Disability test ରିପୋର୍ଟ ଦାଖଲ କରିବେ। ଏଥିସହ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ OPSC ମଧ୍ୟ ନିଜ ଜବାବ ଦାଖଲ କରିବେ। ତେଣୁ ସେ ପର୍ଯ୍ୟନ୍ତ ଫଳ ପ୍ରକାଶନର ସମ୍ଭାବନା ନାହିଁ। ଏହାପରେ କେବେ ଫଳ ପ୍ରକାଶ ପାଇବ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।
ହାଇକୋର୍ଟଙ୍କ ଏପରି ରାୟ ପରେ ଆଶାୟୀ ପ୍ରାର୍ଥୀଙ୍କ ମନ ଭାଙ୍ଗି ଯାଇଛି। କେବେ ରେଜଲ୍ଟ ବାହାରିବ, କେବେ ସେମାନଙ୍କ ପରିଶ୍ରମର ଫଳ ପାଇବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।





