ଦିଲ୍ଲୀରେ ପ୍ରଶାସନିକ ନିୟନ୍ତ୍ରଣ ପାଇଁ ଅଧ୍ୟାଦେଶ ପ୍ରସଙ୍ଗ: ଉତ୍ତର ରଖିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ପ୍ରଶାସନିକ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶର ସାମ୍ବିଧାନିକ ବୈଧତା ନେଇ ଦିଲ୍ଲୀ ସରକାର କରିଥିବା ଆବେଦନରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହି ଅଧ୍ୟାଦେଶ ଅସାମ୍ବିଧାନିକ ଓ ଏହା ଉପରେ ତୁରନ୍ତ ରହିତାଦେଶ ଘୋଷଣା କରିବା ଲାଗି ପିଟିସନରେ ଦର୍ଶାଇଥିଲା ଆମ ଆଦମୀ ପାର୍ଟି ନେତୃତ୍ବାଧୀନ ଦିଲ୍ଲୀ ସରକାର । ହେଲେ ସର୍ବୋଚ୍ଚ ନ୍ୟାୟଳୟ ତତ୍କାଳ ରହିତାଦେଶ ଲଗାଇବାକୁ ମନା କରିବା ସହ ମାମଲାରେ ଉତ୍ତର ରଖିବାକୁ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି ।

ଆଜି ଏହି ବହୁପ୍ରତୀକ୍ଷିତ ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଖଣ୍ଡପୂଠରେ ହୋଇଥିଲା । ଖଣ୍ଡପୀଠ ତୁରନ୍ତ ରହିତାଦେଶ ଜାରି କରିବା ପାଇଁ ମନା କରିବା ସହ କହିଥିଲେ, ରହିତାଦେଶ କିମ୍ବା ଅନ୍ୟ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଏହି ମାମଲାକୁ ପ୍ରଥମେ ଶୁଣାଯିବାର ଆବଶ୍ୟକତା ରହିଛି । ଏହା ସହ ଆବେଦନରେ ନିଜର ପକ୍ଷ ରଖିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାର ପକ୍ଷ ରଖିବା ପରେ କୋର୍ଟ ନିଷ୍ପତ୍ତି ଗ୍ରହଣ କରିବେ ।

ଗ୍ରୀଷ୍ମ ଅବକାଶ ପରେ କୋର୍ଟ ଖୋଲିଲେ ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ଦିଲ୍ଲୀ ସରକାର ଅପେକ୍ଷା କରିଥିଲେ । ତେବେ କୋର୍ଟ ଖୋଲିବା ପରେ ଏହି ଆବେଦନ ହୋଇଥିବା ବେଳେ ଆଜି ଏହାର ପ୍ରଥମ ଶୁଣାଣି ଥିଲା । କୋର୍ଟ କୌଣସି ନିଷ୍ପତ୍ତି ଗ୍ରହଣ କରିବା ପୂର୍ବରୁ ପ୍ରଥମେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନର ପ୍ରଥମେ ପ୍ରତିପକ୍ଷ ଠାରୁ ଉତ୍ତର ଚାହିଁଛନ୍ତି ।

ପ୍ରଶାସନିକ ନିୟନ୍ତ୍ରଣ ମାମଲାରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ପରେ କେନ୍ଦ୍ର ସରକାର ମେ’ ୧୯ ତାରିଖରେ ଏହି ଅଧ୍ୟାଦେଶ ଆଣିଥିଲେ । ଜାରି ଅଧ୍ୟାଦେଶ ଅନୁସାରେ, ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ନିଷ୍ପତ୍ତି ଦିଲ୍ଲୀ ସରକାର ନୁହନ୍ତି ବରଂ ନ୍ୟାସନାଲ କ୍ୟାପିଟାଲ ସର୍ଭିସ୍‌ ଅଥରିଟି ନିକଟରେ ନ୍ୟସ୍ତ ହେବ । ଏହି ପ୍ରାଧିକରଣରେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ସଦସ୍ୟ ଭାବେ ରହିବେ । ହେଲେ କେବଳ ସଦସ୍ୟଙ୍କ ଆନୁପାତିକ ବହୁମତ ଆଧାରରେ କୌଣସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇପାରିବ । ନଚେତ ମାମଲା ଉପରାଜ୍ୟପାଳଙ୍କ ନିକଟରେ ପହଞ୍ଚିବ ଓ ରାଜଭବନ ହିଁ ଚୂଡାନ୍ତ ନିର୍ଣ୍ଣୟକାରୀ ହେବ । ଯାହାକୁ ଦିଲ୍ଲୀ ସରକାର ତୀବ୍ର ବିରୋଧ କରିବା ସହ ଏହା ଦିଲ୍ଲୀବାସୀଙ୍କ ଜନାଦେଶ ବିରୋଧୀ ବୋଲି କହିଥିଲା ।

ଏବେ ଏହି ମାମଲା କୋର୍ଟରେ ପହଞ୍ଚି ସାରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ଅଧ୍ୟାଦେଶକୁ ରାଜ୍ୟସଭାରେ ପାରିତ କରାଇନଦେବା ପାଇଁ ବିରୋଧୀଙ୍କ ସମର୍ଥନ ମଧ୍ୟ ଯୋଗାଡ କରିବାରେ ଲାଗିଛନ୍ତି । ଅନ୍ୟପଟେ ଏହି ସମର୍ଥନ ଯୋଗାଡ ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କ ବିରୋଧୀ ମେଳିରେ ମତାନ୍ତର ଦେଖାଯାଇଥିଲା । କିଛି ବିରୋଧୀ ଏହି ବିଲକୁ ବିରୋଧ କରିବା ନେଇ କେଜ୍ରିଓ୍ବାଲଙ୍କୁ ସହମତି ଦେଇଥିବା ବେଳେ କଂଗ୍ରେସ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେଉନଥିବାରୁ ବିରୋଧୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖିବାକୁ ମିଳିଥିଲା । ଏପରିକି କଂଗ୍ରେସ ରାଜ୍ୟସଭାରେ ଏହି ଅଧ୍ୟାଦେଶ କୁ ବିରୋଧ ନକଲେ ଆଗାମୀ ବିରୋଧୀ ବୈଠକକୁ ଆପ ବର୍ଜନ କରିବ ବୋଲି ମଧ୍ୟ ଚେତାବନୀ ଦେଇଥିଲା।

Related Posts