ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ଓଡ଼ିଆ ପୁଅଙ୍କୁ ଗୁରୁ ଦାୟିତ୍ବ ଦେଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଓଡ଼ିଆ ପୁଅ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଓପନର ଶିବ ସୁନ୍ଦର ଦାସଙ୍କୁ ଭାରତୀୟ ଜାତୀୟ ସିନିୟର ଚନୟକର୍ତ୍ତା କମିଟି ସଦସ୍ୟ ଭାବେ ବିସିସିଆଇ ପକ୍ଷରୁ ନିଯୁକ୍ତ କରାଯାଇଛି । ବିସିସିଆଇ ଆଜି ଭାରତୀୟ ଜାତୀୟ ଦଳର ନୂତନ ଚୟନକର୍ତ୍ତା କମିଟି ଘୋଷଣା କରିଛି ।
ପୁଣି ଥରେ ଏହି କମିଟିରେ ପୂର୍ବତନ କ୍ରିକେଟର ଚେତନ ଶର୍ମାଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି। ତେବେ ଟି-୨୦ ବିଶ୍ଵ କପ୍ ୨୦୨୨ରେ ଭାରତୀୟ ଦଳର ଖରାପ ପ୍ରଦର୍ଶନ ପରେ ବିସିସିଆଇ ଚୟନ କମିଟି ଭଙ୍ଗ କରିଥିଲା। ଏହା ପରେ ନୂତନ ଚୟନ କମିଟି ଗଠନ ନେଇ ପ୍ରକ୍ରିୟା ଜାରି ରହିଥିଲା। ପୂର୍ବ ଚୟନ କମିଟିର ଅଧ୍ୟକ୍ଷ ହିଁ ଚେତନ ଶର୍ମା ଥିଲେ। ତେବେ ଓଡିଶା ପାଇଁ ଗୌରବର ବିଷୟ ଯେ, ନୂତନ ଚୟନକର୍ତ୍ତା କମିଟିରେ ଅଭିଜ୍ଞ ପୂର୍ବତନ କ୍ରିକେଟର ତଥା ଓଡ଼ିଆ ପୁଅ ଶିବ ସୁନ୍ଦର ଦାସ ସାମିଲ୍ ହୋଇଛନ୍ତି।
ତେବେ ୪୩ ବର୍ଷୀୟ ଶିବ ସୁନ୍ଦର ଦାସ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୧୦ ହଜାରରୁ ଅଧିକ ରନ୍ କରିଛନ୍ତି। ଏହି ଡାହାଣହାତୀ ବ୍ୟାଟସମ୍ୟାନ ୧୮୦ଟି ମ୍ୟାଚ୍ରେ ୩୯ ହାରରେ ୧୦,୯୦୮ ରନ କରିଛନ୍ତି। ଏଥିରେ ୨୪ ଶତକ ଓ ୫୨ ଅର୍ଦ୍ଧଶତକ ସାମିଲ। ଅପରାଜିତ ୩୦୦ ରନ ତାଙ୍କର ସର୍ବୋଚ୍ଚ ସ୍କୋର। ଶିବ ସୁନ୍ଦର ଦାସ ଭାରତ ପକ୍ଷରୁ ୨୩ଟି ଟେଷ୍ଟ ମ୍ୟାଚ୍ ଖେଳି ୩୫ ହାରରେ ୧୩୨୬ ରନ କରିଛନ୍ତି। ଏଥିରେ ଦୁଇ ଶତକ ଓ ୯ ଅର୍ଦ୍ଧଶତକ ସାମିଲ। ସେ ଭାରତ ପକ୍ଷରୁ ୪ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ଓଡିଶାର ତୃତୀୟ ଖେଳାଳି।
ସେ ଶେଷ ଥର ପାଇଁ ୨୦୦୨ ମସିହା ମେ ୨୨ ତାରିଖରେ ଭାରତ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏହି ମ୍ୟାଚ ଖେଳିଥିଲେ। ସେହିପରି ୨୦୦୨ ଡିସେମ୍ବର ୨୬ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ।





