ଜେଇ ସିଭିଲ୍‌ ମେନ୍ ପରୀକ୍ଷା ବାତିଲ୍‌ କଲା ଓଏସ୍‌ଏସ୍‌ସି, ସେପ୍ଟେମ୍ବର ୩ରେ ପୁନର୍ବାର ହେବ

ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିବା ପରେ ଜେଇ ସିଭିଲ୍‌ ମେନ୍ ପରୀକ୍ଷା ବାତିଲ୍‌ କରିଛି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ(ଓଏସ୍‌ଏସ୍‌ସି)। ଗତ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାକୁ ବାତିଲ୍‌ କରାଯିବା ନେଇ ଓଏସ୍‌ଏସ୍‌ସି ଅଧ୍ୟକ୍ଷ ଅଭୟ ପ୍ରଥମେ ଟ୍ୱିଟ୍ କରି ସୂଚନା ଦେଇଥିଲା। ଏହାପରେ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏଥିସହ ସେପ୍ଟେମ୍ବର ୩ରେ ପୁଣିଥରେ ଜେଇ ସିଭିଲ୍‌ ମେନ୍ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। କମିସନଙ୍କ ପକ୍ଷରୁ କୁହାଯାଇଛି ଯେ ବାଲେଶ୍ବର ଏସ୍‌ପିଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଅଫିସ୍‌ରେ ଜେଇ(ସିଭିଲ୍‌) ପଦବି ପାଇଁ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ୍‌ କରାଗଲା। ପରୀକ୍ଷାର୍ଥୀଙ୍କ ଏଭଳି ଅସୁବିଧା ପାଇଁ କମିସନ ଦୁଃଖ ପ୍ରକାଶ କରିଛନ୍ତି।

ସେପଟେ ବାଲେଶ୍ୱର ଏସ୍‌ପି ସାଗରିକା ନାଥ ରବିବାର ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲରୁ ଗିରଫ ୯ଜଣ ଯୁବକଙ୍କୁ ରିମାଣ୍ଡରେ ଆଣିଥିଲୁ। ପଚରାଉଚରା ପରେ ସେମାନେ ଜେଇ ସିଭିଲ୍‌ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସାମିଲ ଥିବା ସ୍ୱୀକାର କରିଛନ୍ତି। ସେମାନେ ପ୍ରଶ୍ନପତ୍ର ପିଛା ପିଲାଙ୍କଠାରୁ ୮ରୁ ୧୦ ଲକ୍ଷ ନେଉଥିଲେ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ସେମାନେ ଏହି ରାକେଟ୍ ଚଳାଇଥିଲେ। ଏହି ରାକେଟ୍‌ର ମାଷ୍ଟରମାଇଣ୍ଡ ଚିହ୍ନଟ ହୋଇଛି। ସେ ଏବେ ରାଜ୍ୟ ବାହାରେ ରହିଛି। ତାକୁ ଧରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚାଲିଛି। ଧରା ପଡ଼ିଥିବା ରାକେଟ୍‌ ଅନ୍ୟ ରାଜ୍ୟରେ ମଧ୍ୟ ସମାନ କାର୍ଯ୍ୟ କରୁଥିଲେ। ମଧ୍ୟପ୍ରଦେଶ, ବିହାର ଓ ଦିଲ୍ଲୀରେ ଏମାନଙ୍କ ନାଁରେ ମାମଲା ରହିଛି। ତଦନ୍ତ କରାଯିବା ପରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିଥିବା ନେଇ ଓସ୍‌ଏସ୍‌ସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା।

ସୂଚନାଯୋଗ୍ୟ ଯେ, ୧୬ ତାରିଖରେ କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେବଲ୍‌ ପରୀକ୍ଷା ଥିବା ବେଳେ ଏହି ଗ୍ୟାଙ୍ଗ୍‌ ଦିନକ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ କହି ପାଖାପାଖି ୧୦୦ ଛାତ୍ରଛାତ୍ରୀଙ୍କୁ ଶନିବାର ବିଳମ୍ବିତ ରାତିରେ ଏକ ଘରୋଇ ବସ୍‌ ଓ ୨ଟି ଟୁରିଷ୍ଟ ଗାଡ଼ି ଯୋଗେ ଭୁବନେଶ୍ବରରୁ ବାଲେଶ୍ବର ଜିଲ୍ଲା ତାଳସାରୀ ଥାନା ଅଞ୍ଚଳକୁ ଆଣିଥିଲେ। ସେଠାରେ ଏକ ହୋଟେଲ୍‌ରେ ସମସ୍ତଙ୍କୁ ରଖି ଯୋଜନା ମୁତାବକ ପ୍ରଶ୍ନପତ୍ର ପାଇଁ ଡିଲ୍‌ ଆରମ୍ଭ କରିଥିଲେ। ତେବେ ଏ ସଂପର୍କରେ ଖବର ପାଇବା ପରେ ଏସ୍‌ପି ସାଗରିକା ନାଥ ଏକ ୨୦ ଜଣିଆ ପୁଲିସ ଟିମ୍‌ ଗଠନ କରିବା ସହ ତୁରନ୍ତ ଚଢଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚଢ଼ଉ ବେଳେ ଗୋଟିଏ ବସ୍‌, ୬ଟି ଚାରିଚକିଆ ଗାଡ଼ି, ୧୫ଟି ମୋବାଇଲ, ୩ଟି ବ୍ଲାଙ୍କ୍‌ ଚେକ୍ ସହ କିଛି ନିଯୁକ୍ତି ଆଶାୟୀଙ୍କ ସାର୍ଟିଫିକେଟ୍‌ ଜବତ କରାଯାଇଥିଲା।

Related Posts