ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): OSSC ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ ହୋଇଛି । ବିହାରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ବାଲେଶ୍ୱର ପୋଲିସ । ଖାଲି ମାଷ୍ଟରମାଇଣ୍ଡ ନୁହେଁ ତା’ ସହିତ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରାଯାଇଛି । ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ପୋଲିସ ଗିରଫ କରିଥିଲା ।
ତେବେ ଓଏସଏସସି ନିଜେ ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନା କରୁଥିବା ବେଳେ କେମିତି ଦଲାଲ ପାଖକୁ ପ୍ରଶ୍ନପତ୍ର ଗଲା ତାର ଉତ୍ତର ବି ପୋଲିସ ପାଖରେ ନାହିଁ ।ଓଏସଏସସିର କିନ୍ତୁ ଏଥିରେ ସଂପୃକ୍ତି ନଥିବା ପୋଲିସ କହିଛି। ପ୍ରଶ୍ନପତ୍ର ଲିକର ସୋର୍ସ କଣ, କେଉଁ ସ୍ତରରୁ ଲିକ ହୋଇଛି ତାର ବି ଟେର ପାଉନି ପୋଲିସ । ତେଣୁ କେଉଁ ତଦନ୍ତ ଆଧାରରେ ଓଏସଏସସି ସଂପୃକ୍ତିକୁ ସିଧାସଳଖ ମନା କରୁଛି ପୋଲିସ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ। ଅନ୍ୟପଟେ ଏହି ଘଟଣାରେ ହଜାର ହଜାର ପରୀକ୍ଷାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଥିବା ବେଳେ ଓଏସଏସସି ଏବଂ ସରକାରଙ୍କ ନିରବତାକୁ ନେଇ ମଧ୍ୟ ସନ୍ଦେହ ଘନୀଭୂତ ହେଲାଣି।





