ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତେଜୁଛି ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିବାଦ । ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟ ଘେରି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଜି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚାକିରି ଆଶାୟୀ । ସେମାନେ ଓଏସଏସସି ଅଧ୍ୟକ୍ଷଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ ସେ ଆଶାୟୀମାନଙ୍କୁ ଭେଟିନାହାନ୍ତି । ଏବେ ଆଶାୟୀ ମାନେ ଖାଲି ପାଦରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ ବୋଲି ଦାବି କରିଛନ୍ତି ଆଶାୟୀ ।
ଯେଉଁ ଅଧିକାରୀ ମାନେ ଏହି ପ୍ରଶ୍ନପତ୍ର ଲିକ୍ ଘଟଣାରେ ସାମିଲ ଅଛନ୍ତି ତାଙ୍କ ନାମ ସାମ୍ନାକୁ ଆସିବା ଆବଶ୍ୟକ ଓ ସେହି ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ରଖିଛନ୍ତି । ପୂର୍ବରୁ ହୋଇଥିବା ଜେଇ ସିଭିଲ୍ ପରୀକ୍ଷା ଗତକାଲି ବାତିଲ ହୋଇଛି । ଏହାପରେ ସେପ୍ଟେମ୍ବର ୩ ତାରିଖରେ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ମହିଳାଙ୍କ ସମେତ ୯ ଜଣ ଗିରଫ ହୋଇଛନ୍ତି ।
ଅଭିଯୁକ୍ତମାନେ ଓଡିଶା ବିହାର ଓ ଆନ୍ଧ୍ରପ୍ରଦେଶର ବୋଲି କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ଏତେ ବଡ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ଓଡିଶାରେ ବୋଧହୁଏ ବିରଳ । ପୂର୍ବରୁ ଆମେ ବିହାର, ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶରେ ବ୍ୟାପମ ଭଳି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । କିନ୍ତୁ ଓଡିଶାରେ ଏତେ ବଡ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପରୀକ୍ଷା ବାତିଲ ହେବା ଖୁବ ବିରଳ ।





