OSSC ପ୍ରଶ୍ନପତ୍ର ଲିକ୍‌ ମାମଲା: ଆଉ ୮ ଜଣଙ୍କୁ ଗିରଫ କଲା ବାଲେଶ୍ଵର ପୋଲିସ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): OSSC ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଉ ୮ ଗିରଫ । ଆଜି ଆଉ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏମାନଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ତେବେ ପୂର୍ବରୁ ଏହି ମାମଲାର ମାଷ୍ଟରମାଇଣ୍ଡ ସମେତ ୧୭ ଜଣ ଗିରଫ ହୋଇଥିଲେ।

ଏବେ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଓଏସସ୍‌ସି ଜେଇ ମେନ ପ୍ରଶ୍ନପତ୍ର ଲିକ୍‌ ନେଇ ଖବର ପାଇବା ପରେ ଜୁଲାଇ ୧୬ତାରିଖରେ ବାଲେଶ୍ୱର ଜିଲ୍ଲାର ୧୬ ନଂ ଜାତୀୟ ରାଜପଥରୁ ନାକା କରି ୯ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ସହଦେବଖୁଣ୍ଟା ପୋଲିସ। ପରେ ୨୭ତାରିଖରେ ଏହାର ମାଷ୍ଟରମାଇଣ୍ଡ ବିଶାଲ କୁମାର ଚୌରାସିଆ ବିହାରର ପାଟନାରୁ ଗିରଫ କରିଥିଲା। ଏହା ସହ ଅନ୍ୟ ୭ଜଣ ସହଯୋଗୀ ମଧ୍ୟ ଗିରଫ ହୋଇଥିଲେ। ପରେ ମାଷ୍ଟରମାଇଣ୍ଡ ଓ ସହଯୋଗୀଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଥିଲା ପୋଲିସ।

ପ୍ରଶ୍ନପତ୍ର ଲିକ୍‌ ସହ ଜଡ଼ିତ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି OSSC । କାହିଁକି ସେମାନଙ୍କୁ ଆଜୀବନ ପରୀକ୍ଷାରୁ ବାସନ୍ଦ କରାଯିବ ନାହିଁ ସେନେଇ ଜଣାଇବାକୁ ନୋଟିସ କରିଛି OSSC । ଏହାବ୍ୟତୀତ ପ୍ରଶ୍ନପତ୍ର ଲିକ୍‌ରେ ଆଉ ୩୭ ଜଣ ପରୀକ୍ଷାର୍ଥୀ ଜଡ଼ିତ ଥିବା ଜଣାପଡ଼ିଛି । ସେମାନଙ୍କ ବାବଦରେ ବିସ୍ତୃତ ତଥ୍ୟ ଦେବାକୁ ବାଲେଶ୍ୱର ପୋଲିସକୁ ଅନୁରୋଧ କରିଥିଲା OSSC।

Related Posts