ଆମ ମୁଖ୍ୟମନ୍ତ୍ରୀ ଅଷ୍ଟମ ଆଶ୍ଚର୍ଯ୍ୟ, କେବଳ ଭିଡିଓ କନଫରେନ୍ସରେ ତାଙ୍କ ଦେଖା ମିଳେ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋ ସରକାର ଅଧିନରେ ଆସିବ ଜନ ଅଭିଯୋଗର ଶୁଣାଣି । ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଲୋକଙ୍କୁ ଫୋନ କରାଯାଇ ସେମାନଙ୍କ ସମସ୍ୟାର କିପରି ସମାଧାନ କରାଯାଉଛି, ସେ ସମ୍ପର୍କରେ ମତାମତ ନିଆଯିବ । ଏନେଇ ଗତକାଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ତେଜିଛି ରାଜନୀତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।

ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୁରୁଣା ମଦକୁ ନୂଆ ବୋତଲରେ ଢାଳିବା ନବୀନ ସରକାରର ଅଭ୍ୟାସ। ସମାନ କଥା ପୂର୍ବରୁ ୨୦୨୨,୨୦୨୦ ଓ ୨୦୧୮ ମସିହାରେ ମଧ୍ୟ କହିଥିଲେ। ଯଦି ଲୋକଙ୍କ ଅଭିଯୋଗ ଶୁଣିବାର ଅଭ୍ୟାସ ସରକାରଙ୍କର ଥାନ୍ତା ରାଜ୍ୟବାସୀ ଏତେ ହଇରାଣ ହୋଇ ନଥାନ୍ତେ। ପୂର୍ବରୁ ସବୁ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଅଭିଯୋଗ ପ୍ରକୋଷ୍ଠ ଥିଲା। ବିଜୁବାବୁ ନିଜେ ଲୋକଙ୍କ ସମସ୍ୟା ଶୁଣି ଏହାର ସମାଧାନ ପାଇଁ ଅଭିଯୋଗ ପ୍ରକୋଷ୍ଠ ତିଆରି କରାଇଥିଲେ। ଜାନକୀ ପଟ୍ଟନାୟକ, ନୀଳମଣି ରାଉତରାୟ ମଧ୍ୟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଲୋକଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣିଥିଲେ। କିନ୍ତୁ ନବୀନ ପଟ୍ଟନାୟକ ଓଡ଼ିଶାର ଏକ ମାତ୍ର ମୁଖ୍ୟମନ୍ତ୍ରୀ ଯିଏ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ପ୍ରସ୍ତୁତ ନୁହଁନ୍ତି ।

୨୦୦୮ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଅଚଳ ହୋଇ ପଡିଛି। ସେଠାରେ କିଛି ମୁଷ୍ଟିମେୟ ଅଧିକାରୀ କେବଳ ବସିକି ହାଜିରା ଦେଉଛନ୍ତି। କୌଣସି ଜାଗାରେ ସାଧାରଣ ଲୋକଙ୍କ ଅଭିଯୋଗକୁ ବିଡ଼ିଓ ଓ ତହସିଲଦାର ମାନେ ଶୁଣୁ ନାହଁନ୍ତି। ଜନ ବିରୋଧୀ ସରକାର କହିବ ଲୋକଙ୍କ ସମସ୍ୟା ଶୁଣି ସରକାର ଚଲେଇବୁ ତାହା ହାସ୍ୟାସ୍ପଦ କଥା। ଏ ସରକାର ମିଛୁଆ ରାଧୁଆରେ ପରିଣତ ହୋଇ ସାରିଛି । ଲୋକ ଏହାକୁ ଆଉ ବିଶ୍ୱାସ କରିବେନି, ୨୦୨୪ ନିର୍ବାଚନରେ ଏହାର ଉତ୍ତର ଦେବେ। ଆମ ମୁଖ୍ୟମନ୍ତ୍ରୀ କୁଆଡେ ଗଲେ। ସେ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ, କବଳ ଭିଡିଓ କନଫରେନ୍ସରେ ତାଙ୍କ ଦେଖା ମିଳେ ବୋଲି କହି କଟାକ୍ଷ କରିଛନ୍ତି ପୃଥ୍ୱୀରାଜ। ଏହାସହ ଆଗୁଆ ନିର୍ବାଚନ ପାଇଁ ତାଙ୍କ ଦଳ ପ୍ରସ୍ତୁତ ଥିବା କହିଛନ୍ତି ପୃଥ୍ୱୀରାଜ ।

Related Posts