ଭୁବନେଶ୍ୱର: ଗତକାଲି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳକୁ କଡା ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ପୂର୍ବ ସରକାର ସମୟରେ ଅପରାଧୀଙ୍କ ପ୍ରତି ଥିବା କୋମଳ ମନୋଭାବ, ପ୍ରେମ ଓ ରାଜନୈତିକ ସୁରକ୍ଷାର ଅନ୍ତ ଘଟିସାରିଛି।ମୁଖ୍ୟମନ୍ତ୍ରୀ କହିଲେ, ପୂର୍ବରୁ ପୁଲିସଙ୍କୁ ରାଜନୈତିକ ଚାପରେ ରଖି ତାଙ୍କ ହାତ ବାନ୍ଧି ଦିଆଯାଉଥିଲା। ବର୍ତ୍ତମାନ ସେହି ବନ୍ଧନରୁ ପୁଲିସକୁ ମୁକ୍ତ କରାଯାଇଛି ଏବଂ ସେମାନେ ଆଇନର ମର୍ଯ୍ୟାଦା ଭିତରେ ସ୍ୱାଧୀନଭାବେ କାମ କରୁଛନ୍ତି।ଓଡ଼ିଶା ପୁଲିସଙ୍କ କାର୍ଯ୍ୟକୁ ପ୍ରଶଂସା କରି ସେ କହିଲେ, ଗତ ୨୧ ମାସରେ ପୁଲିସ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାରେ ସଫଳ ହୋଇଛି।ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଓଆଇଏସଏଫ ବାଟାଲିୟନ, ୧୦ଟି ନୂଆ ଓଡ୍ରାଫ ୟୁନିଟ୍, ଟ୍ରାଫିକ ଓ ସଡକ ସୁରକ୍ଷା ୱିଙ୍ଗ, ଚଣ୍ଡିଖୋଲରେ ଏସଡିପିଓ କାର୍ଯ୍ୟାଳୟ ସହ ୨୦ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ସୃଷ୍ଟି କରାଯାଇଛି। ଏହା ସହ ଗୋଟିଏ ନୂଆ ପୁଲିସ ଜିଲ୍ଲା ମଧ୍ୟ ଗଠନ ହୋଇଛି।ତଦନ୍ତ କାର୍ଯ୍ୟକୁ ସୁଦୃଢ କରିବା ପାଇଁ ପ୍ରଥମଥର ପାଇଁ ପୁଲିସ ବିଭାଗକୁ ୫୦ କୋଟି ଟଙ୍କା ଅର୍ଥ ସହାୟତା ଦିଆଯାଇଥିବା ସେ କହିଥିଲେ।ସାଧାରଣ ଅଭିଯୋଗ ନିରାକରଣ ବ୍ୟବସ୍ଥା ବିଷୟରେ କହି ସେ ଜଣାଇଲେ, ୨୦୨୪ ଜୁଲାଇରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସକ୍ରିୟ କରାଯାଇଛି ଏବଂ ସେ ନିଜେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ସମ୍ବଲପୁରରେ ମଧ୍ୟ ଏହିପରି ଶୁଣାଣି ହୋଇଥିବା ବେଳେ ଆଗାମୀ ଦିନରେ କଳାହାଣ୍ଡି, ବାଲେଶ୍ୱର ଓ ଅନୁଗୁଳରେ ଏହା ଆୟୋଜନ କରାଯିବ।ରୋଜଗାର ସୃଷ୍ଟି ଉପରେ ଜୋର ଦେଇ ମୁଖ୍ୟମନ୍ତ୍ରୀ କହିଲେ, ସରକାର ଆସିବା ପରେ ୨୬ଟି ବିଭାଗରେ ୩୯,୫୦୫ ଜଣଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ଅବଶିଷ୍ଟ ୯୨,୫୬୩ଟି ଖାଲି ପଦବୀ ମଧ୍ୟରୁ ୩୭,୬୪୧ଟି ପଦବୀ ପୂରଣ ପାଇଁ ପ୍ରକ୍ରିୟା ଚାଲିଛି ବୋଲି ସେ କହିଥିଲେ।ସମାପ୍ତିରେ ସେ କହିଲେ, ରାଜ୍ୟରେ ଆଇନ-ଶୃଙ୍ଖଳାକୁ ଶକ୍ତ କରିବା ସହ ଯୁବମାନଙ୍କୁ ଚାକିରି ଯୋଗାଇବାରେ ସରକାର ପ୍ରତିବଦ୍ଧ।





