ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୪ ନିର୍ବାଚନରେ ୫୧ ପ୍ରତିଶତ ଭୋଟ୍ ପାଇବା ଆମର ଲକ୍ଷ୍ୟ। ୧୯ ଅପେକ୍ଷା ୨୪ରେ ରେକର୍ଡ ବିଜୟ ପାଇଁ ରଣନୀତି ତିଆରି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଲୋକସଭା ଓ ବିଧାନସଭାରେ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ ସଂପର୍କରେ ସୂଚନା ଦେଇ ମନମୋହନ କହିଛନ୍ତି, ଏହି ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡ଼ିଶାକୁ ଅଧିକ ଫୋକସ୍ ଦିଆଯାଇଥିଲା । ବିଳମ୍ବିତ ରାତି ଯାଏଁ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ବୈଠକ ନେଇଥିଲେ। ନିର୍ବାଚନ ଦୃଷ୍ଟିକୋଣରୁ ସାଙ୍ଗଠନିକ ସ୍ଥିତିର ଆଲୋଚନା ହେଲା ବୋଲି କହିଛନ୍ତି ମନମୋହନ। କଠିନ ପରିଶ୍ରମ କରି ତାହା କେମିତି କ୍ରିୟାନ୍ୱୟନ ହେବ, ସେ ସଂପର୍କରେ ଆଲୋଚନା ହେଲା। ଯେଉଁଠି ଯେତେ ଆବଶ୍ୟକ, ସେହି ଅନୁସାରେ ଟାର୍ଗେଟ ସେଟ୍ କରାଯିବ। ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯିବା ସହ କେନ୍ଦ୍ର ନେତୃତ୍ୱ ଖୁବଶୀଘ୍ର ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି ବିଜେପି ସଭାପତି ମନମୋହନ ସାମଲ ।





