ଅନ୍ଧାରରେ ପାକିସ୍ତାନ: ଇସଲାମବାଦ, କରାଚି ସମେତ ଦେଶର ପ୍ରମୁଖ ସହରରେ ବିଜୁଳି ସେବା ଠପ୍

ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ): ଉତ୍କଟ ଆର୍ଥିକ ସଙ୍କଟ ମଧ୍ୟଦେଇ ଗତି କରୁଥିବା ପାକିସ୍ତାନରେ ଏବେ ବଡ ଧରଣର ବିଜୁଳି ସଙ୍କଟ ଦେଖାଦେଇଛି । ସୋମବାର ସକାଳୁ ଅନ୍ଧାରରେ ବୁଡିଛି ପାକିସ୍ତାନ ।ଦେଶର ବଡ ବଡ ସହର ଇସଲାମବାଦ, କରାଚି, ପେଶାୱର, ଲାହୋର, କ୍ବେଟାରେ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଦେଶର ପ୍ରାୟ ୨୨୦ ମିଲିୟନ ଲୋକେ ଏବେ ଅନ୍ଧାରରେ ରହିଛନ୍ତି । ପାକିସ୍ତାନରେ ନ୍ୟାସନାଲ ଗ୍ରୀଡ ଅଚଳ ହୋଇଯିବାରୁ ବିଦ୍ୟୁତ ଯୋଗାଣ ଠପ୍ ହୋଇଯାଇଥିବା ଜଣାପଡିଛି । ଫଳରେ ଲକ୍ଷ ଲକ୍ଷ ଘରଦ୍ବାର, ରାସ୍ତାଘାଟ, ବଜାର ପ୍ରଭୃତି କିଟମିଟ୍ ଅନ୍ଧାର ରହିଥିବାର ଦେଖିବାକୁ ମିଳିଛି ।

ପାକିସ୍ତାନ ଶକ୍ତି ମନ୍ତ୍ରଣାଳୟର ସୂଚନା ମୁତାବକ, ସୋମବାର ସକାଳ ୭ଟା ୩୪ ମିନିଟ୍ ସୟରେ ନ୍ୟାସନାଲ ଗ୍ରୀଡ ଅଚଳ ହୋଇଯାଇଥିଲା । ଯାହାଫଳରେ ଦେଶରେ ଅଧିକାଂଶ ସ୍ଥାନରେ ବିଜୁଳ ଯୋଗାଣ ପ୍ରଭାବିତ ହୋଇଛି । ଇସଲାମବାଦରେ ୧୧୭ଟି ଗ୍ରୀଡ ଷ୍ଟେସନ ଅଚଳ ହୋଇଯାଇଛି । ବାଲୁଚିସ୍ତାନର ସମସ୍ତ ଜିଲ୍ଲାରେ ବିଦ୍ୟୁତ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସେହିପରି ସିନ୍ଧ, ପଞ୍ଜାବ ପ୍ରଦେଶ, ରାୱଲପିଣ୍ଡିରେ ମଧ୍ୟ ଲକ୍ଷଲକ୍ଷ ଲୋକେ ଅନ୍ଧାରରେ ରହିଛନ୍ତି । ଏହାକୁ ନେଇ ପାକିସ୍ତାନ ଶକ୍ତି ମନ୍ତ୍ରୀ କହିଛନ୍ତି, ଗ୍ରୀଡ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ଏହାର ପୁନରଦ୍ଧାର ପାଇଁ ୧୨ ଘଣ୍ଟା ସମୟ ଲାଗିପାରେ । ଅନ୍ୟପଟେ ବିଜୁଳି କାଟ୍‌ ନେଇ ପେଶାୱରରେ ହନ୍ତସନ୍ତ ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

ତେବେ ଅଟା, ଗ୍ୟାସ, ତୈଳ ଅଭାବ ଭଳି ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ବିଜୁଳି ସଙ୍କଟ ଏବେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଦେଶରେ ବିଦ୍ୟୁତ ବିଭ୍ରାଟ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସାରା ଦେଶରେ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହେବା ପାଇଁ ସମୟ ଲାଗିପାରେ ବୋଲି ସୂତ୍ରରୁ ସୂଚନା ମିଳିଛି ।

ତେବେ ବର୍ତ୍ତମାନ ପାକିସ୍ତାନ ଘୋର ଆର୍ଥିକ ସଂଙ୍କଟ ଦେଇ ଗତି କରୁଛି । ଦେଶରେ ଖାଦ୍ୟ ସାମଗ୍ରୀ, ଔଷଧ ମୂଲ୍ୟ ଆକାଶଛୁଆଁ ରହିଛି । ଏଠାରେ ଶ୍ରୀଲଙ୍କା ପରି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଭୋକ ଉପାସରେ ଆଉଟୁପାଉଟୁ ହେଉଛନ୍ତି ଦେଶବାସୀ । ଭୋକଜ୍ବାଳା ପ୍ରଶମିତ କରିବାକୁ ଲୋକମାନେ ଗହମ, ଅଟା ପାଇଁ ମାର୍‌ପିଟ୍ ହେଉଥିବା ଦେଖିବାକୁ ମିଳୁଛି । ୧୯୭୧ ମସିହା ପରଠାରୁ ଦେଶ ସବୁଠୁ ଖରାପ ଆର୍ଥିକ ସ୍ଥିତିର ସମ୍ମୁଖୀନ ହେଉଛି ।

Related Posts