ପାଣ୍ଡିଆନଙ୍କ ହାତରେ ଅଛି ବିଜେଡିର ସାଧା ଟିକେଟ୍, ୨୦୨୪ରେ ବିଜେଡି ଜିତିଲେ ଅନ୍ୟକେହି ହେବେ ମୁଖ୍ୟମନ୍ତ୍ରୀ: ପ୍ରଦୀପ ପୁରୋହିତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିରୋଧୀ ଏହାକୁ ନେଇ ଶାସକ ଦଳକୁ ଘେରୁଥିବା ବେଳେ ଆଜି ପାଣ୍ଡିଆନଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଦସ୍ତଖତ ଥିବା ବିଜେଡିର ସିଧା ଟିକେଟ ପାଣ୍ଡିଆନଙ୍କ ହାତରେ ଅଛି । ୨୦୨୪ ନିର୍ବାଚନରେ ବିଜେଡି ଜିତିଲେ ଅନ୍ୟକେହି ମୁଖ୍ୟମନ୍ତ୍ରୀ ହେବେ।

ପ୍ରଦୀପ ପୁରୋହିତ କହିଛନ୍ତି, ଓଡ଼ିଶାର ଲୋକମାନେ ବିଜେଡି ବା ଶଙ୍ଖ ଚିହ୍ନକୁ ଭୋଟ ଦେଇଥିଲେ। ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଥିଲେ। ହେଲେ ବାସ୍ତବରେ ଏବେ ଓଡ଼ିଶାର ରାଜନୈତିକ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ନେତା, ମନ୍ତ୍ରୀ ଅଞ୍ଚଳ ଗସ୍ତ ଆଉ କରୁ ନାହାନ୍ତି। ତାଙ୍କ ସ୍ଥାନରେ ସବୁ ଜାଗାକୁ 5T ସଚିବ ଯାଉଛନ୍ତି। ଲୋକମାନେ 5T ସଚିବଙ୍କୁ ଭୋଟ ଦେଇନାହାନ୍ତି, ସେ ଜଣେ ସରକାରୀ ଅଧିକାରୀ। ହେଲେ ଓଡିଶାରେ ଏବେ କିନ୍ତୁ ଶାସନର ମୁଖ୍ୟ ହିସାବରେ ଚେହେରା ହେଉଛି 5T ସଚିବଙ୍କର। ବିଜେପି କେବେ କେଉଁ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିନିକି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିନି। କିନ୍ତୁ ଏବେ ଜଣେ ଅଧିକାରୀ କ’ଣ ପାଇଁ ନେତାଙ୍କ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ବିଜେପି ବିରୋଧ କରୁଛି ବୋଲି ପ୍ରଦୀପ ପୁରୋହିତ କହିଛନ୍ତି।

ସେ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାପରେ ଅଛନ୍ତି। ଏଭଳି ସ୍ଥିତି ଏବେ ହେଇଛି ଯେ 5T ସଚିବଙ୍କୁ ନ ଧରିଲେ ମୁଖ୍ୟମନ୍ତ୍ରୀଙ୍କ ପାଦ ଆଗକୁ ବଢୁନାହିଁ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମୁଖ୍ୟମନ୍ତ୍ରୀ ପୁରା ଅସହାୟ ହେଇ ବସିଛନ୍ତି। 5T ସଚିବ ଯାହା ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ତାହା କରୁଛନ୍ତି। ହେଲେ ବିଜେଡିରେ ଯେଉଁ ସ୍ୱାଭିମାନୀ ନେତା ଅଛନ୍ତି, ସେମାନେ ୨୦୨୪ ନିର୍ବାଚନ ପୂର୍ବରୁ ଦଳରେ ବହୁତ ବଡ଼ ବିଦ୍ରୋହ କରିବେ ବୋଲି ପ୍ରଦୀପ କହିଛନ୍ତି।

ବିଜେଡିର ବହୁ ବଡ଼ ବଡ଼ ନେତାମାନେ ଏବେ ଅସନ୍ତୁଷ୍ଟ। ମନ ଭିତରେ କଷ୍ଟ ଥିଲେ ବି କହିପାରୁନାହାନ୍ତି। ଏହାର କାରଣ ହେଉଛି ୨୦୨୪ରେ ଯିଏ ଲଢ଼ିବେ, ସେମାନଙ୍କର ସିଧା ଟିକେଟ ପାଣ୍ଡିଆନଙ୍କ ହାତରେ ଅଛି। ନବୀନ ବାବୁଙ୍କ ଦସ୍ତଖତ ଥିବା ସାଧା ଟିକେଟ ପାଣ୍ଡିଆନଙ୍କ ପାଖରେ ଅଛି ବୋଲି ପ୍ରଦୀପ ଅଭିଯୋଗ କରିଛନ୍ତି। ଆଗାମୀ ନିର୍ବାଚନରେ 5T ସଚିବ ଟିକେଟ୍ ବାଣ୍ଟିବେ ଏବଂ ଯିଏ ତାଙ୍କର ବିରୋଧ କରିବ ତାଙ୍କ ଟିକେଟ୍ କଟିବ । ତେଣୁ ତାଙ୍କର ଗସ୍ତକୁ ବିଜେଡିର କେହି ଖୋଲାଖୋଲି ବିରୋଧ କରୁନାହାନ୍ତି । ୨୦୨୪ ନିର୍ବାଚନ ବିଜେଡି ଜିତିଲେ ନବୀନ ପଟ୍ଟନାୟକ ନୁହେଁ ବରଂ ଅନ୍ୟକେହି ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବୋଲି ପ୍ରଦୀପ କହିଛନ୍ତି।

Related Posts