ବିଜେଡିରୁ ଇସ୍ତଫା ଦେଲେ ପାଣ୍ଡିଆନ!

ଭୁବନେଶ୍ୱର,୬/୬(ସତ୍ୟପାଠ ବ୍ୟୁରୋ): ଦୀର୍ଘ ଅଢ଼େଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜେଡିର ଦୁର୍ଗକୁ ଧୂଳିସାତ୍ କରି ବିଜେପି ପ୍ରଥମଥର ପାଇଁ ଏକାକୀ ସରକାର ଗଢ଼ିବାକୁ ଯାଉଛି । ବିଜେଡିର ଏଭଳି ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ବୋଲାଉଥିବା ଭିକେ ପାଣ୍ଡିଆନଙ୍କୁ ସାଧାରଣରେ ଦାୟୀ କରାଯାଉଛି । ତେବେ ନିର୍ବାଚନ ଫଳ ଆସିବା ପରଠୁ ସେ ନିଖୋଜ ଥିବାବେଳେ ଆଜି ସେ ବିଜେଡିରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି | ଆଉ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ପାଣ୍ଡିଆନଙ୍କ ‘ଇନଷ୍ଟାଗ୍ରାମ’ ଆକାଉଣ୍ଟ | ସେ ନିଜ ‘ଇନଷ୍ଟାଗ୍ରାମ’ ଆକାଉଣ୍ଟରୁ ‘ବିଜେଡି’କୁ ହଟାଇ ଦେଇଛନ୍ତି । ପାଣ୍ଡିଆନ ତାଙ୍କର ଭେରିଫାଏଡ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ‘ଭିକେପାଣ୍ଡିଆନଡଟଓଡ଼ିଶା’ ପ୍ରୋଫାଇଲରେ ‘ବିଜେଡି’ର ସଦସ୍ୟ ବୋଲି ନିଜକୁ ଉଲ୍ଲେଖ କରିଥିଲେ । କିନ୍ତୁ ଆଜି ସେଥିରେ ପରିବର୍ତ୍ତନ କରି ‘ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ଆଶୀର୍ବାଦ’ ବୋଲି ଲେଖିଛନ୍ତି ।

ତେବେ ପରାଜୟ ପରଠୁ ପାଣ୍ଡିଆନଙ୍କ ଅନୁପସ୍ଥିତି ଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ‘ବିଜେଡି’କୁ ହଟାଇ ପରୋକ୍ଷରେ ସେ ରାଜନୀତିରୁ ସନ୍ୟାସ ନେଇଥିବାର ସନ୍ଦେଶ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ନିର୍ବାଚନ ପ୍ରଚାର ସମୟରେ ନବୀନ 9 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନନେଲେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଥିଲେ |

ସେପଟେ ଏନେଇ କିଛି ବରିଷ୍ଠ ବିଜେଡି ନେତାଙ୍କ କହିବା କଥା, ଯେ ଜାହାଜ ବୁଡିବା ଆରମ୍ଭ କଲେ ମୂଷା ମାନେ ପ୍ରଥମେ ଛାଡି ଚାଲି ଯାଆନ୍ତି | ହେଲେ ଜାହାଜର କ୍ୟାପଟେନ କେବେ ପଛକୁ ହଟନ୍ତି ନାହିଁ | ସେହିଭଳି ବିଜେଡି ବିପର୍ଯୟ ଆରମ୍ଭ ନହେଉଣୁ ନିଜକୁ କ୍ଷମତାକେନ୍ଦ୍ର ବୋଲାଉଥିବା ପାଣ୍ଡିଆନ ମୂଷା ଭଳି ଛାଡି ଚାଲିଯାଇଛନ୍ତି | ଯଦି ସେ ସତରେ ଜଣେ ନେତା ହୋଇଥାନ୍ତେ ତାହେଲେ ସେ କେବେ ଦଳର ହାତ ଛାଡି ନଥାନ୍ତେ ବୋଲି ଚର୍ଚ୍ଚା ହେଉଛି |

Related Posts