ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ଭାରତର ଷ୍ଟାର କ୍ରିକେଟର ରିଷଭ ପନ୍ତଙ୍କ ଶୁକ୍ରବାର ବଡ ଧରଣର ଦୁର୍ଘଟଣା ହୋଇଛି । ଏଥିରେ ପନ୍ତଙ୍କ ମୁଣ୍ଡ, କହୁଣୀ ଓ ଆଂଠୁ ମାଡ ହୋଇଯାଇଛି । ଏହା ବ୍ୟତୀତ ହାଥ, ପିଠି ଓ ମେରୁଦଣ୍ଡ ମଧ୍ୟ ଆଘାତପ୍ରାପ୍ତ ହୋଇଛି । ପନ୍ତଙ୍କୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଆନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ଅତି କମରେ ୬ମାସ ସମୟ ଲାଗିବ ।
ତେବେ ତାଙ୍କର ପିଠି ଓ ଆଣ୍ଠୁରେ ଲାଗିଥିବା ଆଘାତରୁ ଆରୋଗ୍ୟ ଲାଭ କରି ପ୍ରାକ୍ଟିସ ଆରମ୍ଭ କରିବାକୁ ୩ରୁ ୬ ମାସ ସମୟ ଲାଗିବ ବୋଲି ଡାକ୍ତରମାନେ କହିଛନ୍ତି । ଏମ୍ସ-ଋଷିକେଶର ସ୍ପେର୍ଟସ ଇନଜୁରୀ ବିଭାଗର ମୁଖ୍ୟ ଡ.କମର ଆଜମ କହିଛନ୍ତି ଯେ ପନ୍ତଙ୍କ ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଜଣାପଡ଼ୁଛି ଯେ ସେ ଆସନ୍ତା ୩ରୁ ୬ ମାସ ପର୍ଯ୍ୟନ୍ତ ଆଣ୍ଠୁ ଆଘାତରୁ ଆରୋଗ୍ୟ ଲାଭ କରିପାରିବେ ନାହିଁ ।
ସେ ଆଘାତପ୍ରାପ୍ତ ହେବା ଫଳରେ ଟିମ ଇଣ୍ଡିଆ ବ୍ୟତୀତ ଆଇପିଏଲର ଦିଲ୍ଲୀ କ୍ୟାପିଟାଲ୍ସକୁ ମଧ୍ୟ ଶକ୍ତ ଧକ୍କା ଲାଗିଛି । ପନ୍ତ ଏବେ ଫେବୃୟାରୀ-ମାର୍ଚ୍ଚରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଓ ଆଇପିଏଲରୁ ଓହରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ମାର୍ଚ୍ଚ ଶେଷ ବେଳକୁ ଆଇପିଏଲ ଆରମ୍ଭ ହେବ । ଏହି ସମୟ ବେଳକୁ ପନ୍ତ ଆରୋଗ୍ୟ ଲାଭ କରିବାର ସମ୍ଭାବନା କମ ବୋଲି କୁହାଯାଉଛି । ସେହିଭଳି ଭାରତ ଯଦି ଆଇସିସି ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରେ ତେବେ ଜୁନରେ ହେବାକୁ ଥିବା ଏହି ମୁକାବିଲାରେ ମଧ୍ୟ ପନ୍ତ ଖେଳିବା ନେଇ ସନ୍ଦେହ ରହିଛି ।
ପନ୍ତଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ପାଦ । ଏହା ସମ୍ପୂର୍ଣ୍ଣ ଭାବେ ଭଲ ହେବା ପାଇଁ ଅଧିକ ସମୟ ଲାଗିବ । ବିସିସିଆଇ ମଧ୍ୟ ପନ୍ତଙ୍କ ଏହି ଲିଗାମେଂଟ ଫାଟି ଯାଇଥିବା ନେଇ ଚିନ୍ତିତ ଅଛି । ଯଦି ଆବଶ୍ୟକ ହୁଏ ଏହାର ଚିକିତ୍ସା ପାଇଁ ପନ୍ତଙ୍କୁ ବିଦେଶ ପଠାଯାଇପାରେ । ମାଆଙ୍କ ନୂଆ ବର୍ଷର ସରପ୍ରାଇଜ ଦେବା ପାଇଁ ପନ୍ତ ଏକୁଟିଆ ଗାଡି ଚଳେଇ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଭଗବାନଙ୍କ କୃପାରୁ ସେ ଅଳ୍ପକେ ବଞ୍ଚି ଯାଇଛନ୍ତି । ଯାହାକୁ ନେଇ ପ୍ରଶଂସକ ମହଲରେ କିଛି ମାତ୍ରାରେ ଆଶ୍ୱସ୍ତି ଖେଳି ଯାଇଛି ।





