ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣରୁ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାର ଶିକାର ହୋଇଥିବା ଗାଡ଼ିଟି ଧଉଳି ଗଣନାଟ୍ୟର ଗାଡ଼ି ବୋଲି ଜଣାଯାଇଛି।
ଲାଇଟ୍ ଓ ସାଉଣ୍ଡ ବକ୍ସ ଆଦି ସରଞ୍ଜାମ ଭର୍ତ୍ତି କରି ଧଉଳି ଗଣନାଟ୍ୟର କର୍ମଚାରୀ ଆଜି ସକାଳେ ଏକ ଟ୍ରକ୍ରେ ରାଇରଙ୍ଗପୁରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲେ। ଗାଡ଼ିଟି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବାଙ୍ଗିରିପୋଷି ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଶେଷ ମୋଡରେ ଡ୍ରାଇଭରଜଣକ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଗାଡ଼ିଟି ରାସ୍ତା ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ। ଫଳରେ ଗାଡ଼ିରେ ଥିବା ଲାଇଟ୍, ବାକ୍ସ ତଳେ ବହୁ ଲୋକ ଚାପି ହୋଇ ଯାଇଥିଲେ।
ସେପଟେ ଖବର ପାଇ ତୁରନ୍ତ ବାଙ୍ଗିରିପୋଷି ପୁଲିସ୍, ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଗୁରୁତର ଅନ୍ୟମାନଙ୍କୁ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏହି ସମୟରେ ୪୯ ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି।





