ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସିଲା ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲାର ରାୟ । ଦୋଷୀ ସାବ୍ୟସ୍ତ ହେଲା ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ପୁଞ୍ଜିଲାଲକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ। ମାମଲାର ୭ ବର୍ଷ ପରେ ପାଟଣାଗଡ଼ ଏଡିଜେ କୋର୍ଟ ଶୁଣାଇଲେ ରାୟ ।
ଏହି ମାମଲାରେ ସମସ୍ତ ୬୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସହିତ ଅଭିଯୁକ୍ତର ବୟାନ ରେକର୍ଡ ହୋଇଥିଲା। ପୁଞ୍ଜିଲାଲଙ୍କୁ ନିଜ ସପକ୍ଷରେ ମତ ରଖିବା ପାଇଁ ମଧ୍ୟ କୋର୍ଟ ସୁଯୋଗ ଦେଇଥିଲେ । ଦୁଇ ଜଣ ନିରୀହଙ୍କ ଜୀବନ ନେଇଥିବା ଅଭିଯୁକ୍ତ ପୁଞ୍ଜିଲାଲକୁ ନେଇ କଣ ରାୟ ଆସୁଛି ତାକୁ ସାରା ଓଡ଼ିଶା ଅପେକ୍ଷା କରିଥିଲା। କୋର୍ଟ ଶେଷରେ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିବା ସହିତ ତାକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏହା ସହିତ ତାକୁ 50 ହଜାର ଟଙ୍କା ଜରିମାନା ମଧ୍ୟ ଶୁଣାଇଛନ୍ତି କୋର୍ଟ।
ତେବେ ଗତ ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିବା ଅଭିଯୋଗ ହୋଇଥିଲା । ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୮ ତାରିଖରେ ହୋଇଥିଲା । ବିବାହ ଭୋଜିରେ ପୁଞ୍ଜିଲାଲ୍ ଉପହାର ଭାବେ ପାର୍ସଲ ବୋମା ପଠାଇଥିଲେ । ୨୩ ତାରିଖ ଦିନ ପାର୍ସଲ୍ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେ ମାଙ୍କର ମୃତ୍ୟୁ ଘଟିଥିଲା । ନବବିବାହିତା ପତ୍ନୀ ରିମାରାଣୀ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ । ତେବେ ଘଟଣାର କୌଣସି ଚାକ୍ଷୁସ ପ୍ରମାଣ ନଥିଲେ ବି ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୪ ତାରିଖରେ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହେବାପରେ ପୁଞ୍ଜିଲାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏବେ ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛି । ଏହାସହିତ ପୁଞ୍ଜିଲାଲକୁ ଆଜୀବନ କାରାଦଣ୍ଡ ମଧ୍ୟ ଶୁଣାଇଛନ୍ତି କୋର୍ଟ।





