ମୋଦି ସରକାରଙ୍କ ଉପରେ ଲୋକଙ୍କ ଭରସା ଅଛି, ବିଭ୍ରାନ୍ତ କରିବାକୁ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ: ଅମିତ ଶାହା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି ଅନାସ୍ଥା ପ୍ରସ୍ତାବ ଦେଶରେ ବିରୋଧୀଙ୍କ ପ୍ରକୃତ ଚରିତ୍ରକୁ ଦର୍ଶାଇବ ବୋଲି ଅମିତ ଶାହା କହିଛନ୍ତି। ଶାହା କହିଛନ୍ତି ଯେ ମୋଦି ସରକାର ପରିବାରବାଦ ଓ ତୁଷ୍ଟୀକରଣକୁ ହଟାଇ ବିକାଶକୁ ପ୍ରାଥମିକତା ଦେଇଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଉପରେ ଜନସାଧାରଣଙ୍କର କି ଗୃହର ଅବିଶ୍ୱାସ ନାହିଁ। ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଏହି ଅନାସ୍ଥା ପ୍ରସ୍ତାବ ଅଣାଯାଇଛି ବୋଲି ଶାହ କହିଛନ୍ତି | ପ୍ରଧାନମନ୍ତ୍ରୀ ୨୪ ଘଣ୍ଟାରୁ ୧୭ ଘଣ୍ଟା କାମ କରନ୍ତି। ଆମେ କ୍ରମାଗତ ଦୁଇ ଥର ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛୁ।

ସେ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ହିଁ ସବୁଠାରୁ ଅଧିକ ଲୋକଙ୍କ ବିଶ୍ୱାସ ଜିତିଛି । ଜନସାଧାରଣଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଲୋକଙ୍କ ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ସେ ଗୋଟିଏ ବି ବିରତି ନନେଇ ଦିନକୁ ୧୭ ଘଣ୍ଟା ନିରନ୍ତର କାମ କରନ୍ତି। ଲୋକମାନେ ସେମାନଙ୍କ ଉପରେ ବିଶ୍ୱାସ କରନ୍ତି।

ଅମିତ ଶାହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧିଙ୍କ ନାମ ନ ନେଇ ସେ କହିଛନ୍ତି, ଜଣେ ନେତାଙ୍କୁ ୧୩ ଥର ଲଞ୍ଚ୍ କରାଯାଇଛି ଏବଂ ସେ ୧୩ ଥର ଯାକ ବିଫଳ ହୋଇଛନ୍ତି। ଯେଉଁ ଗରିବ ମହିଳାଙ୍କ ଘରକୁ ରାହୁଲ ଗାନ୍ଧି ଖାଇବାକୁ ଯାଇଥିଲେ, ତାଙ୍କର ମଧ୍ୟ ଗରିବୀ କଂଗ୍ରେସ ସରକାର ଦୂର କରି ପାରିନଥିଲା | ମୋଦି ସରକାର ଆସିବା ପରେ ତାଙ୍କର ବିକାଶ ହୋଇଛି ଆଉ ତାଙ୍କର ମଧ୍ୟ ସରକାରଙ୍କ ଉପରେ ବିଶ୍ୱାସ ରହିଛି। କୋଭିଡ ସମୟରେ ମୋଦି ସରକାରଙ୍କ ନିଷ୍ପତ୍ତି ଯୋଗୁ ଦେଶବାସୀ ସୁରକ୍ଷିତ ଅଛନ୍ତି | ବିଭିନ୍ନ ଖାଦ୍ୟ ଶସ୍ୟର ଏମଏସପି ବୃଦ୍ଧି କରି ଚାଷୀଙ୍କ କଲ୍ୟାଣ କରିଛନ୍ତି ବୋଡି ସରକାର | ମୋଦିଙ୍କ ଦୃଢ଼ ନେତୃତ୍ୱରେ କାଶ୍ମୀରରୁ ଧାରା 370 ହଟିଛି, ଆଉ ଏସବୁ କାରଣ ପାଇଁ ମୋଦି ସରକାରଙ୍କ ଉପରେ ଦେଶବାସୀଙ୍କ ବିଶ୍ୱାସ ବଢିଛି ଓ ଅତୁଟ ରହିଛି ବୋଲି ଶାହ କହିଛନ୍ତି |

Related Posts