‘ରାଜନୈତିକ ସ୍ବାର୍ଥ ପାଇଁ ଯେଉଁମାନେ ରାଜ୍ୟକୁ ବଦନାମ୍ କରୁଛନ୍ତି, ସେମାନଙ୍କୁ ଲୋକେ କ୍ଷମା ଦେବେନି’; ବିଧାନସଭାରେ ବିଜେପିକୁ ନବୀନଙ୍କ ଟାର୍ଗେଟ

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ‘ମୁଁ ଏହି ଗୃହରେ ୨୪ବର୍ଷ ହେଲା ସଦସ୍ୟ ଅଛି। ହେଲେ ସମ୍ବେଦନଶୀଳ ଘଟଣାରେ ଏଭଳି ରାଜନୀତି କେବେ ଦେଖିନାହିଁ। ଯେଉଁମାନେ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପାଇଁ ନିଜ ରାଜ୍ୟକୁ ବଦନାମ୍ କରନ୍ତି ସେମାନଙ୍କୁ ଲୋକେ କେବେ ବି କ୍ଷମା କରିବେନି। ଯେଉଁମାନେ ଶ୍ରୀମନ୍ଦିର ଓ ଲିଙ୍ଗରାଜ ପ୍ରକଳ୍ପକୁ ବିରୋଧ କରିଛନ୍ତି, ରାଜ୍ୟର ବିକାଶରେ ବାଧକ ସାଜିଛନ୍ତି ସେମାନଙ୍କୁ ଲୋକେ କେବେ କ୍ଷମା କରିବେନି।’ ଏଭଳି କଡ଼ା କଡ଼ା କଥା କହି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିରୋଧୀଙ୍କୁ ସିଧା ସିଧା ଶୁଣାଇଥିଲେ। ପରୀ ମାମଲା ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପ୍ରକଳ୍ପ ଯାଏ ବିଭିନ୍ନ ପ୍ରସଙ୍ଗ ଉଠାଇବା ସହିତ ବିରୋଧୀ ବିଶେଷକରି ବିଜେପିକୁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ତୀବ୍ର ଭର୍ତ୍ସନା କରିଥିଲେ ମୁଖ୍ୟମନ୍ତ୍ରୀ। ତେବେ ଆଗକୁ ନିର୍ବାଚନ ଥିବା ପରିପ୍ରେକ୍ଷୀରେ ତାଙ୍କର ଏପରି ଆକ୍ରମଣାତ୍ମକ ଆଭିମୁଖ୍ୟ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଆଲୋଚନାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ନିର୍ବାଚନ ସମୟରେ ରାଜନୀତି କରିପାରିବା। କିନ୍ତୁ ସମ୍ବେଦନଶୀଳ ଅପରାଧ, ରାଜ୍ୟର ବିକାଶ ଏବଂ ରାଜ୍ୟର ଓ ରାଜ୍ୟବାସୀଙ୍କ ଛବିକୁ ନେଇ କେବେ ମଧ୍ୟ ରାଜନୀତି କରିବାନି। ଆମେ ସବୁବେଳେ ବୃହତ୍ତର ସ୍ବାର୍ଥ, ନୂଆ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ଏକାଠି କାମ କରିବା ଦରକାର। ପରୀ ହତ୍ୟାକାଣ୍ଡକୁ ରାଜ୍ୟ ରାଜନୀତି ଜୋର୍ ଧରିଥିବାବେଳେ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ମଧ୍ୟ କଡ଼ା ଆଭିମୁଖ୍ୟ ରଖିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ‘ମଙ୍ଗଳବାର ନୟାଗଡ଼ରେ କୋର୍ଟ ଦୁଃଖଦ ‘ପରୀ’ ମାମଲାରେ ରାୟ ଶୁଣାଇଛନ୍ତି। ମୁଁ ବିରୋଧୀ ସଦସ୍ୟଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ଯେ ସେମାନେ କିପରି ଏହି ପ୍ରସଙ୍ଗ ଉଠାଇ ଗୃହ କାର୍ଯ୍ୟରେ ପ୍ରତିରୋଧ କରିଥିଲେ। ଏହି ସମ୍ବେଦନଶୀଳ ଘଟଣାର ରାଜନୀତିକରଣ କରିଥିଲେ। ଓଡ଼ିଶାବାସୀ ଜାଣିଛନ୍ତି ଯେ ଅଭିଯୁକ୍ତର ଜାମିନ୍‌ ପାଇଁ କେଉଁମାନେ ଚେଷ୍ଟା କରୁଥିଲେ ଏବଂ ନ୍ୟାୟିକ ବ୍ୟବସ୍ଥାକୁ ପଥଭ୍ରଷ୍ଟ କରୁଥିଲେ। ସେ ଅଭିଯୁକ୍ତ ଏବେ ଦୋଷୀ ସାବ୍ୟସ୍ତ ହୋଇଛି। ପରୀକୁ ନ୍ୟାୟ ଦେବାରେ ବିଳମ୍ବ କରୁଥିବା ବିରୋଧୀ, ବିଶେଷକରି ଏହାକୁ ରାଜନୈତିକ ରୂପ ଦେଇଥିବା ରାଜ୍ୟ ବିଜେପି କୁଆଡ଼େ ଗଲା? ସେମାନଙ୍କୁ ଓଡ଼ିଶାବାସୀ କେବେ କ୍ଷମା କରିବେନି।

ଏଥିସହିତ ମୁଖ୍ୟମନ୍ତ୍ରୀ ଏହି ପାଳିରେ ତାଙ୍କ ସରକାରର ସଫଳତା ବଖାଣିଥିଲେ। ସେ କହିଥିଲେ, ‘ଆମ ମନ୍ତ୍ରିମଣ୍ଡଳ ଶପଥ ନେବାବେଳେ ଶାସନ ବ୍ୟବସ୍ଥାରେ ୫-ଟି ନୀତିକୁ ଅନୁପାଳନ କରିବାକୁ ଘୋଷଣା କରିଥିଲି। ଏହି ପାଳି ଶେଷ ହେବାବେଳକୁ ମୁଁ ଖୁସିର ସହ କହିବାକୁ ଚାହୁଁଛି ଯେ ଏହା ଶାସନ ବ୍ୟବସ୍ଥାରେ ବଡ଼ ଗେମ୍‌ଚେଞ୍ଜର ହୋଇଛି। ଏହା କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ଗେମଚେଞ୍ଜର ପାଲଟିଛି।’ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଏହି ପାଳିରେ ସବୁଠୁ ବଡ଼ ପ୍ରତିବନ୍ଧକ ଥଲା କୋଭିଡ ମହାମାରୀ। ଆମ ରାଜ୍ୟ ଏକ ଟିମ୍ ଭାବେ ଏହାର ମୁକାବିଲା କରିଥିଲା। ଫଳରେ ଦେଶର ସବୁଠୁ କମ୍‌ ମୃତ୍ୟୁ ହାର ଓଡ଼ିଶାରେ ଦେଖିବାକୁ ମିଳିଥିଲା। କୋଭିଡ୍‌ ପରୀକ୍ଷା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସବୁ ମାଗଣାରେ ଯୋଗାଇ ଦେଇଥିଲେ ସରକାର। ଓଡ଼ିଶାରେ ଉତ୍ପାଦିତ ହେଉଥିବା ଅମ୍ଳଜାନ ଦେଶର ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇ ପାରିଥିଲା। ୧୭ଟି ରାଜ୍ୟକୁ ଅମ୍ଳଜାନ ପଠାଯାଇଥିଲା।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପ୍ ଆୟୋଜନ କରାଯାଇଥିଲା। ସୁନ୍ଦରଗଡ଼ରେ ପ୍ରଥମଥର ପାଇଁ ହକି ବିଶ୍ବକପ୍ ଆୟୋଜନ କରିବା ସୁନ୍ଦରଗଡ଼ର ହକିପ୍ରେମୀଙ୍କୁ ମୋ ସରକାରର ଭେଟି ଥିଲା। ରେକର୍ଡ ସମୟରେ ହକି ଷ୍ଟାଡିୟମ ନିର୍ମାଣ କରାଯାଇପାରିବା ଆମର ଅନ୍ୟତମ ସଫଳତା। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଶେଷ ହୋଇପାରିଛି। ଏନେଇ ଗଜପତି ମହାରାଜା କହିଛନ୍ତି ଯେ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଗତ ୫୦୦ବର୍ଷ ଭିତରେ ଏହା ସବୁଠୁ ବଡ଼ ପଦକ୍ଷେପ। ଏହି ପ୍ରକଳ୍ପ ନିର୍ମାଣରେ ଯେଉଁମାନେ ସହଯୋଗ କରିଥିଲେ ସେମାନଙ୍କୁ ଧନ୍ୟବାଦ। ସେହିଭଳି ନିକଟରେ ମା’ ସମଲେଇ ପ୍ରକଳ୍ପ ମଧ୍ୟ ଲୋକାର୍ପିତ ହୋଇଛି। ଏହାବାଦ୍ ରାଜ୍ୟର ପ୍ରାୟ ସମସ୍ତ ବଡ଼ ବଡ଼ ମନ୍ଦିର, ମସଜିଦ୍, ଗୀର୍ଜାର ନବୀକରଣ କରାଯାଉଛି। ଜଳସେଚନ ସଂପର୍କରେ ତଥ୍ୟ ରଖି ଶ୍ରୀ ପଟ୍ଟନାୟକ କହିଥିଲେ, ଲୋୟର ସୁକତେଲରୁ ଆରମ୍ଭ କରି କାନପୁର ଜଳସେଚନ ପ୍ରକଳ୍ପ, ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ସବୁଠି ୫-ଟି ନୀତି ଅନୁପାଳନ ହୋଇଛି। ଫଳରେ ଦୀର୍ଘବର୍ଷ ହେଲା ନିର୍ମାଣାଧୀନ ଥିବା ପ୍ରକଳ୍ପ ଶେଷ ହୋଇଛି। ରେକର୍ଡ ସମୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ସରିଛି। ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସବୁଠୁ ବଡ଼ ଗେମ୍‌ଚେଞ୍ଜର ହୋଇଛି। ପ୍ରତି ମାସରେ ଦେଢ଼ ଲକ୍ଷ ରୋଗୀଙ୍କୁ ପ୍ରାୟ ୨୫୦କୋଟି ଟଙ୍କା ବ୍ୟୟରେ ଚିକିତ୍ସା ଯୋଗାଇ ଦିଆଯାଇପାରୁଛି। ଲୋକଙ୍କ ସ୍ବାସ୍ଥ୍ୟ ଖର୍ଚ୍ଚକୁ ସରକାର ବହନ କରୁଛନ୍ତି। ମୁଁ ଗର୍ବର ସହ କହିବାକୁ ଚାହୁଛି ଯେ ଏହା ଦେଶର ସବୁଠୁ ଭଲ ଯୋଜନା ମଧ୍ୟରେ ଅନ୍ୟତମ। ‘ଆମ ହସ୍ପିଟାଲ’ ଯୋଜନାରେ ହସ୍ପିଟାଲଗୁଡ଼ିକର ଉନ୍ନତୀକରଣ କରାଯାଉଛି।

ସଫଳତା ବଖାଣି ନବୀନ କହିଥିଲେ, ‘ଲାଭ’ ଯୋଜନାରେ ଆଦିବାସୀଙ୍କ ଲଘୁ ବନ୍ୟଜାତ ଦ୍ରବ୍ୟ ପାଇଁ ଏମ୍‌ଏସ୍‌ପି ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ସ୍ବତନ୍ତ୍ର ବିକାଶ ପରିଷଦ ଦ୍ବାରା ଆଦିବାସୀଙ୍କ ଭାଷା, ସାହିତ୍ୟ, ଲୋକକଳାକୁ ସଂରକ୍ଷଣ ରଖିବା ବ୍ୟବସ୍ଥା କରାଯାଇଛି। ମିସନ ଶକ୍ତି ମହିଳାଙ୍କୁ ୦% ସୁଧରେ ୧୫ହଜାର କୋଟି ଟଙ୍କା ଖୁବ୍ ଶୀଘ୍ର ବଣ୍ଟାଯିବ। ଏହା ସର୍ବକାଳୀନ ରେକର୍ଡ ହେବ। ଏହାହିଁ ଦର୍ଶାଉଛି ଯେ ଆମ ରାଜ୍ୟର ମହିଳାଙ୍କୁ ସଶକ୍ତ କରିବାକୁ ଆମେ କିପରି ପଦକ୍ଷେପ ନେଉଛୁ। ଆମ ରାଜ୍ୟର ମହିଳାଙ୍କ ବିରୋଧରେ ଅପରାଧ ୨୦% କମିଛି। ଦଣ୍ଡବିଧାନ ହାର ପ୍ରାୟ ଦୁଇଗୁଣା ହୋଇଛି। ନିକଟରେ ଆମେ ଦେଖିଛୁ ଯେ ରାଜସ୍ବ ବଳକାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି। ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶରେ ଓଡ଼ିଶା ଦେଶର ଦ୍ବିତୀୟ ରାଜ୍ୟ ହୋଇଛି। ମୁଁ ଯେତେବେଳେ ୨୦୦୦ ମସିହାରେ ଏହି ଗୃହକୁ ଆସିଥଲି ସେତେବେଳେ ଓଡ଼ିଶାରେ ୭୦% ଲୋକ ଗରିବ ସୀମାରେଖା ଉପରେ ଥିଲେ। ଏବେ ମାତ୍ର ୧୦% ଲୋକ ଗରିବ ସୀମାରେଖା ଉପରେ ଥିବା ନୀତି ଆୟୋଗଙ୍କ ରିପୋର୍ଟ କହିଛି। ‌ଯେତେବେଳେ ଏତେ ସବୁ ସଫଳତା ଘଟୁଛି ସେତେବେଳେ ବିରୋଧୀ ପ୍ରତି ଅପରାଧକୁ ରାଜନୀତିକରଣ ଏବଂ ରାଜ୍ୟ ଓ ରାଜ୍ୟବାସୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କ୍ଷୋଭର ସହ କହିଛନ୍ତି।

Related Posts