ଭୁବନେଶ୍ୱର,୧୨/୪(ସତ୍ୟପାଠ ବ୍ୟୁରୋ): ସ୍ଥାୟୀ ହେବେ ଠିକା ଡାଟା ଏଣ୍ଟ୍ରି ଅପରେଟର। ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟର ନିୟମିତ ହେବେ। ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଇଥିବା ନିର୍ଦ୍ଦେଶକୁ କାୟମ ରଖିଛନ୍ତି ଦୁଇ ଜଣିଆ ଖଣ୍ଡପୀଠ । ୩ ମାସ ମଧ୍ୟରେ ଲାଗୁ କରିବା ସହ ବିଜ୍ଞପ୍ତି ଠାରୁ ସମସ୍ତ ସୁବିଧା ସୁଯୋଗ ସହ ସ୍ଥାୟୀ କରିବାକୁ ସରକାରଙ୍କୁ ଦେଇଛନ୍ତି ହାଇକୋର୍ଟ।
ତେବେ ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ରାଜ୍ୟ ସରକାର ଦୁଇ ଜଣିଆ ଖଣ୍ଡପୀଠରେ ଆବେଦନ କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି କରି ଆଜି ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି । ଫଳରେ ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟରତ ଠିକା ଡାଟା ଅପରେଟରଙ୍କୁ ଆଶ୍ବସ୍ତି ମିଳିଛି ।
କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ । ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାରେ ଶୁଣାଣି କରି ତିନି ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲୋକସେବା ଭବନ, ଲୋକାଲ ଫଣ୍ଡ ଅଡିଟ ନିର୍ଦ୍ଦେଶାଳୟ, ଗୋପବନ୍ଧୁ ଏକାଡେମୀ, ବିଭିନ୍ନ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ଏହି ନିର୍ଦ୍ଦେଶନାମାରେ କହିଥିଲେ । ଆଗାମୀ ତିନି ମାସ ମଧ୍ୟରେ ଏହି ଆଉଟ ସୋର୍ସିଂ ଦ୍ୱାରା ନିୟୋଜିତ ଠିକା କର୍ମଚାରୀଙ୍କୁ ନିୟମିତ କରି ରାଜ୍ୟ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇବାକୁ କୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଥିଲେ ।
୨୦୦୬ ମସିହା ଠାରୁ ବିଭିନ୍ନ ବିଭାଗରେ ଅନେକ ଆଉଟ ସୋର୍ସିଂ ଦ୍ୱାରା ଠିକା କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । କିନ୍ତୁ ସେମାନେ କୌଣସି ସରକାରୀ ସୁବିଧା ସୁଯୋଗ ପାଉନଥିଲେ । ତେବେ ରଶ୍ମୀ ରେଖା ଦାସଙ୍କ ସମେତ ଏକାଧିକ ଆବେଦନକାରୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇ ନିୟମିତ କରିବା ପାଇଁ ମାମଲା ଦାୟର କରିଥିଲେ । ହାଇକୋର୍ଟ ଏହି ଆବେଦନର ଶୁଣାଣି କରି ନିୟମିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ହାଇକୋର୍ଟଙ୍କ ଏହି ରାୟ ଯୋଗୁଁ ପ୍ରାୟ ୬୦୦ରୁ ଊର୍ଦ୍ଧ୍ଵ ଠିକା ଡାଟା ଏଣ୍ଟ୍ରି ଅପରେଟର ଉପକୃତ ହେବେ ବୋଲି ଜଣାପଡିଛି ।





