ପେଟ୍ରୋଲ, ଡିଜେଲ ଦାମ କମାଇବା ଲାଗି ତେଲ କମ୍ପାନିଙ୍କୁ ନିବେଦନ କଲେ ପେଟ୍ରୋଲିୟମ ମନ୍ତ୍ରୀ

ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ): ଆଗକୁ ୯ଟି ରାଜ୍ୟରେ ରହିଛି ନିର୍ବାଚନ । ଏହା ପୂର୍ବରୁ ତେଲ ଦର ହ୍ରାସ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପେଟ୍ରୋଲ ଏବଂ ଡିଜେଲ ଦର କମାଇବା ଲାଗି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ତୈଳ ବିପଣନ କମ୍ପାନିଗୁଡିକୁ ନିବେଦନ କରିଛନ୍ତି । ସେ ରବିବାର କହିଛନ୍ତି ଯେ, ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ନିୟନ୍ତ୍ରଣ ସ୍ଥିତିରେ ରହିଛି । କମ୍ପାନିଗୁଡିକ ଏବେ ଲାଭଜନକ ସ୍ଥିତିକୁ ଫେରିଛନ୍ତି । ଏଭଳି ସ୍ଥିତିରେ ତେଲ କମ୍ପାନି ଦର କମାଇବାକୁ ସେ ଅନୁରୋଧ କରିଛନ୍ତି ।

ସେହିଭଳି ପେଟ୍ରୋଲ ଡିଜେଲ ଉପରେ ଲାଗୁ ହେଉଥିବା ଭାଟ୍‌ ଅଧିକ ରହୁଛି । ରାଜ୍ୟଗୁଡିକ ଏହାକୁ ହ୍ରାସ କରୁନାହାନ୍ତି । ଏହାକୁ ନେଇ ପୁରୀ ରାଜ୍ୟଗୁଡିକୁ ଟାର୍ଗେଟ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ତେଲ ଦର ଉଚ୍ଚରେ ରହିଲେ ମଧ୍ୟ କେନ୍ଦ୍ର ସରକାର ନଭେମ୍ବର ୨୦୨୧ ଏବଂ ମେ ୨୦୨୨ରେ ଉତ୍ପାଦ ଟିକସ ହ୍ରାସ କରିଥିଲେ ।
ମାତ୍ର ରାଜ୍ୟଗୁଡିକ ଭାଟ୍‌ କମାଉନାହାନ୍ତି । ଫଳରେ ରାଜ୍ୟ ସ୍ତରରେ ତେଲ ଦର ଏବେ ମଧ୍ୟ ଉଚ୍ଚରେ ରହିଛି ବୋଲି ବନାରସରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପୁରୀ ଏହା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏବେ ଗୋଟିଏ ଲିଟର ପେଟ୍ରୋଲ ଡିଜେଲ ଉପରେ ୫୨ ଟଙ୍କାର ଟିକସ ଲାଗୁ ହେଉଛି । ମହାମାରୀ ଏବଂ ମାନ୍ଦାବସ୍ଥା ଯୋଗୁ ଲୋକମାନେ ଏବେ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ବେଳେ ସରକାର ତେଲରୁ ବୃହତ୍ତ ପରିମାଣର ଟିକସ ଆଦାୟ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର, ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଉଥିବା ଟିକସ ଏବଂ ଘରୋଇ ବଜାରରେ ତେଲ ଚାହିଦା ଉପରେ ପେଟ୍ରୋଲ ଓ ଡିଜେଲ ଦର ନିର୍ଦ୍ଧାରଣ ହୋଇଥାଏ ।

ଗତ କିଛି ମାସ ହେବ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ନିମ୍ନରେ ରହିବା ସତ୍ତେ୍ୱ ମଧ୍ୟ ତେଲ କମ୍ପାନି ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି । ପୂର୍ବରୁ ନିର୍ବାଚନ ଯୋଗୁ କମ୍ପାନି ତେଲ ବିକ୍ରିରେ କ୍ଷତି ସହିଛନ୍ତି । କ୍ଷତି ଭରଣା ଲାଗି ଦର ହ୍ରାସ କରୁ ନ ଥିବା ଆଳ ଦେଖାଉଛନ୍ତି ।

Related Posts