ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ମୁମ୍ବାଇ ପୁଲିସ ଦେବେନ୍ଦ୍ର ଫଡନାଭିସଙ୍କୁ ଏକ ନୋଟିସ ପଠଇଥିବାର କଥା ସାମ୍ନାକୁ ଆସିଛି । ଏଥିରେ ତାଙ୍କୁ ଆସନ୍ତାକାଲି ସକାଳ ୧୧ଟାରେ ବିକେସି ସାଇବର ପୋଲସ୍ ଷ୍ଟେସନରେ ହାଜର ହେବାକୁ କୁହାଯାଇଛି । ଏନେଇ ଦେବେନ୍ଦ୍ର କହିଛନ୍ତି ଯେ ମତେ ମୁମ୍ୱାଇ ପୋଲିସ୍ ପକ୍ଷରୁ ସିଆର୍ପିସିର ଧାରା ୧୬୦ ଅନୁସାରେ ଏକ ନୋଟିସ୍ ମିଳିଛି । ଯେଉଁଥିରେ କାଲି ୧୧ଟାରେ ବିକେସି ସାଇବର ପୋଲିସ୍ ଷ୍ଟେସନରେ ହାଜର ହେବାକୁ କୁହାଯାଇଛି । ମୁଁ ସେଠାକୁ ଯାଇ ବୟାନ ରେକର୍ଡ କରାଇବି ବୋଲି ସେ କହିଛନ୍ତି ।
ସେପଟେ ଏହାଛଡ଼ା ମତେ ଏ ସବୁ ତଥ୍ୟ କେଉଁଠାରୁ ମିଳିଲା, ତାହା ଖୁଲାସା ନକରିବା ପାଇଁ ମୋ ପାଖେ ସେ ଅଧିକାର ଅଛି । କିନ୍ତୁ ମୁଁ ଥରେ ଗୃହମନ୍ତ୍ରୀ ରହିଥିଲି, ତେଣୁ ମୋର କର୍ତ୍ତବ୍ୟ ଠିକ୍ରେ ଜାଣିଛି ବୋଲି ସେ କହିଛନ୍ତି । ତେବେ ଭାରତୀୟ ପୋଲିସ୍ ସେବାର ବରିଷ୍ଠ ଅଧିକାରୀ ରଶ୍ମି ଶୁକ୍ଳାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ପୋଲିସ୍ କହିଛି ଯେ ଶୁକ୍ଳା ଶିବସେନାର ସାଂସଦ ସଂଜୟ ରାୱତ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ନେତା ଏକନାଥ ଖଡ଼ସେଙ୍କ ଫୋନ୍ ଟ୍ୟାପିଂ ଅବୈଧ ରୁପେ କରିଥିଲେ । ଦକ୍ଷିଣ ମୁମ୍ୱାଇର କୋଲାବା ପୋଲିସ୍ ଥାନାରେ ଏହି ମାମଲା ଦାଏର ହୋଇଥିଲା ।





