ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫୋଟୋ, ବିଜେପି କହିଲା ଏହା ପରିବାର ଯୋଡୋ ଯାତ୍ରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ଗାନ୍ଧୀ ପରିବାର ସହିତ ଥିବା ତାଙ୍କର ଏକ ପୋଷ୍ଟର ଟୁଇଟରରେ ସେୟାର କରିଛନ୍ତି। କଂଗ୍ରେସ ଦଳ ପକ୍ଷରୁ ବୁଧବାରଠାରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିବା ବେଳେ ଏହି ଯାତ୍ରା ପାଇଁ ତିଆରି ହୋଇଥିବା ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ ରହିଥିବା ଦେଖାଯାଇଛି। ରାଜନୀତି ସହ ଦୂର ଦୂର ପର୍ଯ୍ୟନ୍ତ କୌଣସି ସମ୍ପର୍କ ନଥାଇ ମଧ୍ୟ ତାଙ୍କ ଫଟୋକୁ ପୋଷ୍ଟରରେ ରଖାଯିବା ପରେ ଏହା ଭାରତ ଯୋଡୋ ନୁହେଁ ପରିବାର ଯୋଡୋ ଯାତ୍ରା ବୋଲି କହିଛି ବିଜେପି।

ପୋଷ୍ଟର ଫଟୋ ଟ୍ବିଟ କରି ଭାରତ ଯୋଡୋ ବୋଲି ଲେଖିଛନ୍ତି ରବର୍ଟ ଭଦ୍ରା। ଏଭଳି ଟ୍ବିଟ ସାମ୍ନାକୁ ଆସିବା ପରେ ବିଜେପି ନେତା ଶେହଜାଦ ପୁନାୱାଲା ଟ୍ୱିଟ୍ କରି କହିଛନ୍ତି ଯେ କଂଗ୍ରେସ ଭାରତ ଯୋଡୋ ଯାତ୍ରା ପ୍ରକୃତରେ କେବଳ ପରିବାର ଯୋଡୋ ଏବଂ ଭ୍ରଷ୍ଟାଚାର ଯୋଡୋ ଯାତ୍ରା।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜୁନ୍ ମାସରେ, ରବର୍ଟ ଭଦ୍ରା ରାଜନୀତିରେ ପ୍ରବେଶ କରୁଛନ୍ତି ବୋଲି ଇଶାରା ଦେଇଥିଲେ। ସେ କହିଥିଲେ ଦେଶରେ ପରିବର୍ତ୍ତନର ଆବଶ୍ୟକତା ଅଛି। ଯଦି ଲୋକମାନେ ଅନୁଭବ କରନ୍ତି ଯେ ମୁଁ ଦେଶରେ ଆବଶ୍ୟକ ଥିବା ପରିବର୍ତ୍ତନ ଆଣିପାରିବି, ତେବେ ମୁଁ ନିଶ୍ଚୟ ରାଜନୀତିରେ ପ୍ରବେଶ କରିବି। ତେବେ ସେ ଏପର୍ଯ୍ୟନ୍ତ ରାଜନୀତିରେ ପ୍ରବେଶ କରିନାହାନ୍ତି। ନିନ୍ତୁ କଂଗ୍ରେସର ଭାରତ ଯୋଡୋ ଯାତ୍ରାର ପୋଷ୍ଟରରେ ତାଙ୍କ ଫଟୋ ଦେଖିବାକୁ ମିଳିଛି। ଏହି ଯାତ୍ରାରେ ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ ୩,୫୭୦ କିଲୋମିଟର ଲମ୍ବା ରାସ୍ତା ଚାଲି ଚାଲି ଅତିକ୍ରମ କରିବେ ଓ ଲୋକଙ୍କୁ କେନ୍ଦ୍ର ସରକାରର ଭୁଲ ନୀତି ସଂପର୍କରେ ଅବଗତ କରିବେ। ଏହି ଯାତ୍ରା ୧୨ଟି ରାଜ୍ୟକୁ ଅନ୍ତର୍ଭୁକ୍ତ କରିବ ବୋଲି ସୂଚନା ମିଳିଛି।

Related Posts