ଭୁବନେଶ୍ୱର,୧୬/୬(ସତ୍ୟପାଠ ବ୍ୟୁରୋ): ଜଗତର ନାଥ ଜଗନ୍ନାଥଙ୍କ ଅବଢ଼ାକୁ ନେଇ ଠକେଇ । ଭକ୍ତଙ୍କ ବିଶ୍ୱାସ ସହିତ ଖେଳ ଖେଳିଲେ ଅସାଧୁ ବ୍ୟକ୍ତି । ଅବଢା ନାଁରେ ତିଆରି କରୁଛନ୍ତି ନକଲି ଅବଢା ।ମହାପ୍ରଭୁ ଅଣସରରେ ଥିବାରୁ ଶ୍ରୀ ମନ୍ଦିରରେ ମହାପ୍ରସାଦ ମିଳୁ ନ ଥିବା ଭକ୍ତ ମାନଙ୍କୁ କୁହାଯାଉଛି। ଏହାପରେ ବାହାରେ ଅବଢା ଅନ୍ନ, ଡ଼ାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଏହି ନକଲି ଅବଢା ଭକ୍ତଙ୍କୁ ଦିଆଯାଉଛି। ପୁରୀ ପାଇକ ସାହିରୁ ଆସିଛି ଏପରି ଅଭିଯୋଗ। ଘଟଣାସ୍ଥଳରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ରୋଷେଇ କରୁଥିବା ବ୍ୟକ୍ତି ମାନେ ଫେରାର ହୋଇ ଯାଇଥିବା ଜଣାପଡିଛି।
ପୁରୀ ପାଇକ ସାହିର ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡ଼ାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରାଯାଉଅଛି। ଏହାକୁ ଭକ୍ତଙ୍କ ପାଖକୁ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିବା ଅଭିଯୋଗ ହୋଇଛି । ଶ୍ରୀ ମନ୍ଦିରରେ ମହାପ୍ରଭୁ ଅଣସର ଚାଲିଥିବା ବେଳେ ମନ୍ଦିରରେ ମହାପ୍ରସାଦ ମିଳୁନ ଥିବା ଭକ୍ତ ମାନଙ୍କୁ କୁହାଯାଉଛି। ଅନେକ ଭକ୍ତ ଏନେଇ କିଛି ଜାଣି ନ ଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟକ୍ତି। କିଛି ଅସାଧୁ ସେବାୟତଙ୍କ ସହ ମିଶି ବାହାରେ ଅନ୍ନ, ଡ଼ାଲି , ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ବିକ୍ରି ପାଇଁ ବ୍ୟବସ୍ଥା ହୋଇଛି। ତେବେ ଗଣମାଧ୍ୟମ ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚିବା ପରେ ରୋଷେଇ କରୁଥିବା ବ୍ୟକ୍ତି ମାନେ ଫେରାର ହୋଇ ଯାଇଛନ୍ତି ।
ରଥଯାତ୍ରାକୁ ଆଉ ମାତ୍ର କମ ଦିନ ଥିବାରୁ ପୁରୀକୁ ହଜାର ହଜାର ଭକ୍ତଙ୍କ ସମାଗମ ଜାରି ରହିଛି। ମହାପ୍ରଭୁଙ୍କ ଅବଢା ଖାଇବାକୁ ଭକ୍ତଟିଏ ଧାଇଁ ଆସିଥାଏ କାହିଁ କେତେ ଦୂରରୁ। କିନ୍ତୁ ଭକ୍ତଙ୍କ ଭାବାବେଗ ସହ ଖେଳ ଖେଳିବାକୁ ଏବେ ନକଲି ଅବଢା ପ୍ରସ୍ତୁତ କରି ବିକ୍ରୟ ଆରମ୍ଭ କରିଛନ୍ତି କିଛି ଅସାଧୁ ବ୍ୟକ୍ତି। ଯାହା ଅତ୍ୟନ୍ତ ନିନ୍ଦନୀୟ। ସେପଟେ ନକଲି ମହା ପ୍ରସାଦ ପ୍ରସ୍ତୁତିକୁ ନେଇ ଜଗନ୍ନାଥ ପ୍ରେମୀ ଦୁଃଖ ପ୍ରକାଶ କରିଛନ୍ତି। ଭକ୍ତଙ୍କ ଭାବନା, ଭକ୍ତି ସହ ଖେଳୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ଦାବି ହୋଇଛି।





