ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବର୍ତ୍ତମାନ ମଣିପୁର ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ୨ ଜଣ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲଗ୍ନ କରି ରାସ୍ତାରେ ଚଲାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଏହାକୁ ନେଇ ଦେଶବ୍ୟାପୀ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ସଂସଦଠୁ ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସବୁଠି ମଣିପୁର ତାତି ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ଜମ୍ମୁକଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏବେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି |
ସେ କହିଛନ୍ତି ଯେ ‘ମନ କି ବାତ’ରେ ଘଣ୍ଟା ଘଣ୍ଟା ଧରି କହିପାରୁଥିବା ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରର ଅମାନବୀୟ ଘଟଣା ତଥା ଦେଶର ଲଜ୍ଜାଜନକ ଘଟଣା ବିଷୟରେ ମାତ୍ର ୩୬ ସେକେଣ୍ଡ ପାଇଁ କହିଲେ। ତାଙ୍କର କିଛି ସେକେଣ୍ଡର ବିବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି | ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ମଣିପୁର ହିଂସା ସମ୍ପର୍କରେ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ ସମେତ ଅନ୍ୟାନ୍ୟ ଘଟଣାରେ ଘଣ୍ଟା ଘଣ୍ଟା ଧରି କହିବା ପାଇଁ ବେଶ ଜଣାଶୁଣା। କିନ୍ତୁ ଜଳୁଥିବା ମଣିପୁର ପାଇଁ କେବଳ ୩୬ ସେକେଣ୍ଡ ବିବୃତ୍ତି ଦେବା ଆଶ୍ଚର୍ଯ୍ୟ ଲାଗୁଛି |
ତେବେ ବାସ୍ତବରେ ମଣିପୁରରେ ଦୀର୍ଘଦିନ ଧରି ହିଂସାକାଣ୍ଡ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାଏକୁ ନେଇ ଚୁପ ଥିଲେ | ଗତକାଲି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏହାକୁ ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ ଓ କହିଥିଲେ ଯେ ମଣିପୁର ଘଟଣା ସମଗ୍ର ମାନବତା ଏବଂ ୧୪୦ କୋଟି ଭାରତୀୟଙ୍କୁ ଲଜ୍ଜିତ କରିଛି। ଏଭଳି ଘଟଣା ମୋ ହୃଦୟକୁ ଅତ୍ୟନ୍ତ ଯନ୍ତ୍ରଣା ଏବଂ କ୍ରୋଧରେ ଭରି ଦେଇଛି। ତେବେ ଦେଶବାସୀଙ୍କୁ ମୁଁ ଏହା ଆଶ୍ବସ୍ତ କରିବାକୁ ଚାହୁଛି ଯେ କୌଣସି ବି ଦୋଷୀଙ୍କୁ ଛଡ଼ାଯିବନି। ଆଇନ ଅନୁଯାୟୀ ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ମଣିପୁରର ଝିଅଙ୍କ ସହ ଯାହା ହୋଇଛି ତା’ର କ୍ଷମା ନାହିଁ। ମଣିପୁର ଘଟଣା ସମଗ୍ର ମାନବ ସମାଜ ପାଇଁ ଏକ ଲଜ୍ଜା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ତେବେ ଏହାକୁ ନେଇ କଂଗ୍ରେସ ମଧ୍ୟ କହିଥିଲା ଯେ ‘ଏହା ବହୁତ ଛୋଟ, ବହୁତ ବିଳମ୍ବରେ ଦିଆଯାଇଥିବା ବୟାନ’। ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଥିଲେ, ୧୮୦୦ରୁ ଅଧିକ ଘଣ୍ଟାର ନିରବତା ପରେ ପ୍ରଧାନମନ୍ତ୍ରୀ ପରିଶେଷରେ ମଣିପୁର ହିଂସା ପ୍ରସଙ୍ଗରେ ମାତ୍ର ୩୦ ସେକେଣ୍ଡ୍ର ଟିପ୍ପଣୀ ରଖିଛନ୍ତି । ତେବେ ମଣିପୁର ଘଟଣାକୁ ନେଇ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିବାବେଳେ ସଂସଦରେ ବିରୋଧୀମାନେ ପ୍ରଧାନମନ୍ତ୍ରୀ ଗୃହରେ ଏନେଇ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି |





