ବିକ୍ରମ ଓ ବେତାଳ କାହାଣୀ ନହେଉ ପୋଲିସର ରିପୋର୍ଟ

ସତ୍ୟପ୍ରକାଶ ନାୟକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୋହନ ମାଝି ସରକାର ବା ଭାରତୀୟ ଜନତା ପାର୍ଟି ସରକାର ଆସିବା ପରଠାରୁ ଯେଉଁ ସବୁ ହତ୍ୟାକାଣ୍ଡ ଘଟିଛି ତାହା ଭିତରୁ ସବୁଠୁ ଚର୍ଚ୍ଚିତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ବ୍ରହ୍ମପୁର ପୋଲିସ କରି ସାରିଛି।ଆମେ କହୁଚୁ ଆଇନଜୀବି ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କଥା।ଗତକାଲି ବ୍ରହ୍ମପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯେମିତି ୩୬ ଜଣ ପୁଲିସ୍ ଅଧିକାରୀ ମାନଙ୍କୁ ସାଙ୍ଗରେ ରଖି ପ୍ରେସ କନଫରେନ୍ସ କଲେ ଏହାକୁ ଦେଖିଲେ ଲାଗୁଥିଲା ଯେମିତି କେଉଁ ଏକ ଚଳଚ୍ଚିତ୍ର ର କାହାଣୀ ନା ପ୍ରକୃତ ହତ୍ୟାକାଣ୍ଡର ସତ୍ୟ ଉନ୍ମୋଚନ କରାଯାଉଛି ତାହାକୁ ନେଇ ଅନେକ ଦ୍ବନ୍ଦରେ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା।ଏଠାରେ ଆମେ କହିରଖୁଚୁ ଆମେ ତଦନ୍ତକାରୀ ସଂସ୍ଥା ନୁହଁ କିମ୍ବା ପୋଲିସ୍ ର ତଦନ୍ତକୁ ଆମେ ଭୁଲ୍ କହିବା ପାଇଁ ପ୍ରୟାସ ମଧ୍ୟ କରୁନାହୁ।ଆମେ କେବଳ ଅନୁସନ୍ଧାନକାରୀ ସାମ୍ବାଦିକତା ହିସାବରେ ପୁଲିସ୍ ର କାର୍ଯ୍ୟ ଶୈଳୀ ଉପରେ ବା ପୁଲିସ୍ ରଖୁଥିବା ତଥ୍ୟ ଗୁଡ଼ିକ ସତ୍ୟ ବୋଲି ପ୍ରତିପାଦିତ ହେଉଛି କି ନାହିଁ ଆମେ ତାହା ସାମ୍ନାକୁ ଆଣିବା ପାଇଁ ଚେଷ୍ଟା କରିଛୁ।କାରଣ ଏହା ମଧ୍ୟ ଅନୁସନ୍ଧାନ ମୂଳକ ସାମ୍ବାଦିକତାର ଏକ କର୍ତ୍ତବ୍ୟ ବା କାର୍ଯ୍ୟ।


ପୋଲିସ୍ କହିଲା ଉମା ବିଷୋୟୀ ହେଉଛି ପ୍ରଥମ ବା ମୁଖ୍ୟ ଅଭିଯୁକ୍ତ ,ଆଉ ସେ ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରାପଡ଼ିନାହି।କିନ୍ତୁ ପ୍ରେସ ରିଲିଜ୍ ରେ ଉଲ୍ଲେଖ ରହିଛି ମୋଟିଭ୍ ଅଫ କ୍ରାଇମ୍ ହେଉଛି ବିକ୍ରମ ପଣ୍ଡା ଓ ଚିଣ୍ଟୁ ଦାସଙ୍କ ବ୍ୟକ୍ତିଗତ ଏବଂ ଆର୍ଥିକ ଓ ରାଜନୈତିକ।ତେଣୁ ଅନ୍ତତଃ ପୋଲିସ୍ ମାନିଲା ବା କହିଲା ଏହା ହେଉଛି ରାଜନୈତିକ ହତ୍ୟାକାଣ୍ଡ।କିନ୍ତୁ ପ୍ରେସ ରିଲିଜ୍ ରେ ବିକ୍ରମ ପଣ୍ଡାଙ୍କ ନାମରେ କିଛି ଠୋସ ପ୍ରମାଣ ନାହିଁ ଯେ ଏଥିରେ ବିକ୍ରମ ପଣ୍ଡା ପୁରାପୁରି ସାମିଲ ଅଛନ୍ତି ବୋଲି।ଏହି ହତ୍ୟାକାଣ୍ଡରେ ବିକ୍ରମ ପଣ୍ଡା ସଂପୃକ୍ତି ଥାଇ ପାରନ୍ତି ଆମେ ତାଙ୍କୁ ଏଠାରେ ନିର୍ଦ୍ଦୋଷ କହୁନାହୁଁ।କିନ୍ତୁ ଆଇନ୍ ଶାସ୍ତ୍ରରେ ଯେଉଁ ଦର୍ଶନ ରହିଛି ତାହା ହେଉଛି ଶହେ ଦୋଷୀ ମଧ୍ୟ ଖସି ଯାଆନ୍ତୁ କିନ୍ତୁ ଜଣେ ନିର୍ଦ୍ଦୋଷ ଯେମିତି ଦଣ୍ଡ ନପାଉ।ଅର୍ଥାତ୍ ଯେଉଁ କ୍ରାଇମ୍ କୁ ଆପଣ ପ୍ରମାଣ କରିପାରିବେ ନାହିଁ ସେଥିରେ ଏକାଧିକ କ୍ରିମିନାଲ ସଂପୃକ୍ତ ଥିଲେ ମଧ୍ୟ ଆପଣ କୌଣସି ଗୋଟିଏ କ୍ରିମିନାଲ କୁ ଧରି ପାରିବେ ନାହିଁ ଯେଉଁ କ୍ରାଇମ୍ ସେ ନକରିଛି।ଏବେ କଥା ହେଉଛି ବିକ୍ରମ ପଣ୍ଡାଙ୍କ ସଂପୃକ୍ତି କୁ ନେଇକି ପୋଲିସ ଆହୁରି କିଛି ତଦନ୍ତ କରି ଏହି ବାବଦରେ ତଥ୍ୟ ସଂଗ୍ରହ କରିବାକୁ ପଡ଼ିବ କାରଣ ପୋଲିସ୍ ଯେଉଁ କାହାଣୀ କହିଛି ଏହା ଅଦାଲତରେ ବଳିଷ୍ଠ ପ୍ରମାଣ ହୋଇପାରିବ ନାହିଁ।ସେହି ଦୃଷ୍ଟିରୁ ପୋଲିସ ତରବରିଆ ଭାବେ ଏହା ଭିତରକୁ ବିକ୍ରମ ପଣ୍ଡାକୁ ଟାଣିଛି ବୋଲି ରାଜନୈତିକ ବୟାନ ବାଜି ଚାଲିବା ସ୍ଵାଭାବିକ କଥା କାରଣ ଆଗରେ ନୂଆପଡ଼ା ଉପ ନିର୍ବାଚନ ଅଛି।


ପ୍ରଥମ କଥା ହେଲା ପ୍ରେସ ରିଲିଜ୍ ରେ ପୋଲିସ ଯେଉଁ କାହାଣୀ କହିଛି ଏସବୁ ପୋଲିସ କୁ କିଏ କହିଛି?ପୋଲିସ କୁ ଲାଗୁଛି ଏମିତି ହୋଇଥାଇପାରେ ବା ପୋଲିସ ତା କଳ୍ପନାରେ ଭାବୁଛି ଯେ ବିକ୍ରମ ପଣ୍ଡା ଏହି କାରଣ ପାଇଁ ମାରିଥାଇପାରେ!କାରଣ ପୋଲିସ କହୁଛି ବିକ୍ରମ ପଣ୍ଡାଙ୍କର ଏବଂ ପୀତବାସ ବାବୁଙ୍କ ମଧ୍ୟରେ ବନ୍ଧୁତା ଥିଲା ,ତାପରେ ବାର କାଉନସିଲ ନିର୍ବାଚନରେ ପୀତବାସ ଅଲଗା ଲଢ଼ିଲେ ଓ ବିକ୍ରମ ପଣ୍ଡା ବିଜେଡ଼ି ରେ ରହି ତାଙ୍କୁ ହରାଇବାକୁ ଚାହୁଁଥିଲେ କିନ୍ତୁ ପୀତବାସ ଜିତିଗଲ।କିନ୍ତୁ କଥା ହେଉଛି କୌଣସି ଜଣେ ବନ୍ଧୁ ଯଦି ଆଉ ଗୋଟିଏ ନୂତନ ଦଳ ବା ବାର୍ କାଉନସିଲ ନିର୍ବାଚନରେ ଲଢି ଜିତନ୍ତି ଏବଂ ପର ମୁହୂର୍ତ୍ତରେ ତାଙ୍କର କୌଣସି କାରଣରୁ ମୃତ୍ୟୁ ବା ହତ୍ୟା ହୁଏ ତେବେ କଣ ଯିଏ ତା ବିରୋଧୀ ଥିବ ଆପଣ ବିନା କୌଣସି ଠୋସ ପ୍ରମାଣ ଆଧାରରେ ହତ୍ୟା ଅଭିଯୋଗ ଆଣିପାରିବେ?


ଦ୍ଵିତୀୟରେ ଯେଉଁ ଇଲେକ୍ସନ ପିଟିସନ କଥା ଉଠୁଛି ତାହା ହେଉଛି, ପିଣ୍ଟୁ ଦାସ ବ୍ରହ୍ମପୁର ରେ ଲଢିଲେ ଏବଂ ହାରିଲେ ତାପରେ ସିଏ ତାଙ୍କର କୌଣସି କର୍ମଚାରୀଙ୍କ ଜରିଆରେ ଇଲେକ୍ସନ ପିଟିସନ ଦାୟର କଲେ।ବାସ୍ତବରେ ଏଥିରେ ଅସୁବିଧା କଣ ଅଛି?ଯିଏ ପ୍ରାର୍ଥୀ ସିଏ ନିଜେ କିମ୍ବା ତାଙ୍କର କୌଣସି ସହଯୋଗୀଙ୍କ ଦ୍ଵାରା ଇଲେକ୍ସନ ପିଟିସନ ଦାୟର କରିପାରିବ ଏଥିରେ କିଛି ଅସୁବିଧା ନାହିଁ।କିନ୍ତୁ ପୋଲିସ କହୁଛି ତାଙ୍କୁ କାଳେ ବିକ୍ରମ ପଣ୍ଡା ଟଙ୍କା ଦେଉଥିଲେ।ହେଲେ ପ୍ରଶ୍ନ ହେଉଛି କ୍ୟାସ ଦେଇଛନ୍ତି ନା ଡିଜିଟାଲ ଟ୍ରାଞ୍ଜାକ୍ସନ ହୋଇଛି।ଯଦି ଦେଇଛନ୍ତି ପୋଲିସ ପାଖରେ ଏହାର ପ୍ରମାଣ କଣ ଅଛି?ଏହି ପ୍ରଶ୍ନ କେବଳ ଆମେ ପଚାରୁ ନାହୁଁ,ଏହି ପ୍ରଶ୍ନ ସ୍ଵାଭାବିକ ଭାବେ ଅନେକଙ୍କ ମନରେ ଉଠୁଥିବ।ସେହିପରି ମୁଖ୍ୟ ଆସାମୀ ବା ଗୁଳି ମାରିବା ଲୋକ ଫେରାର ଥିବାବେଳେ ପୁଲିସ୍ କହୁଛି ଗୁଳି ବନ୍ଧୁକ ଅମକ ଆଣିଲା , ସମକ ରଖିଲା।ହେଲେ ପ୍ରଶ୍ନ ଉଠୁଚି ଏକଥା କିଏ ଏବଂ କାହାକୁ କହିଲା?ତେବେ ପୋଲିସ୍ କହିବା ଅନୁସାରେ ଯେଉଁ ଇଲେକ୍ସନ ପିଟିସନ ଦାୟର ହୋଇଛି ଏହା ଶେଷ ପର୍ଯ୍ୟାୟରେ ପହଁଚିଛି ଅର୍ଥାତ୍ ଆଉ ଅଳ୍ପ କିଛିଦିନ ପରେ କାଳେ ଏହାର ରାୟ ଆସିବ। ପୋଲିସ୍ କହୁଛି ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କୁ କୁଆଡେ ଲାଗିଲା ଯେଉଁ ଇଲେକ୍ସନ ପିଟିସନ ଦାୟର ହୋଇଛି ସେଥିରେ କାଳେ ବର୍ତ୍ତମାନର ବିଧାୟକ ଅନିଲ କୁମାର ହାରିବେ ଏବଂ ଆଉଥରେ ନିର୍ବାଚନ ହେବ ଏବଂ ସେଥିରେ ବିକ୍ରମ ପଣ୍ଡା ଟିକେଟ ପାଇଲେ ଜିତିଯିବେ ତେଣୁ ବିକ୍ରମ ପଣ୍ଡା ଙ୍କୁ ଜିତାଇବା ପାଇଁ ସବୁକିଛି ହେବା ଦରକାର ତେଣୁ ବିକ୍ରମ ପଣ୍ଡା କାଳେ ଆଇନଜୀବି ପୀତବାସଙ୍କୁ ମାରିଦେଲେ।ଯଦି ପୋଲିସ କଥା ଠିକ୍ ତେବେ ପ୍ରଶ୍ନ ଉଠୁଛି ବିକ୍ରମ ପଣ୍ଡା ତାଙ୍କ ପ୍ରତିଦ୍ବନ୍ଦୀ ବିଧାୟକଙ୍କୁ ହତ୍ୟା ନକରି ତାଙ୍କ ଆଇନଜୀବି ଙ୍କୁ କାହିଁକି ମାରିଲେ?ଅର୍ଥାତ୍ ପୀତବାସ ଙ୍କୁ ମାରିଦେଲେ ବିକ୍ରମ ପଣ୍ଡା କିପରି ଜିତିବେ ତାହା ବୁଝା ପଡୁନି।ସେହିପରି ବିଧାୟକ ନିର୍ବାଚନରେ ହାରିଛନ୍ତି ପିଣ୍ଟୁ ଦାସ ଏବଂ ଇଲେକ୍ସନ ପିଟିସନ ଦାୟର କରିଛନ୍ତି ପିଣ୍ଟୁ ଦାସ କିନ୍ତୁ ସେ କାହିଁକି ବିକ୍ରମ ପଣ୍ଡାଙ୍କୁ ବିଧାୟକ ଛିଡା କରିବେ ଏବଂ ତାଙ୍କ ପାଇଁ ହତ୍ୟାକାଣ୍ଡ ଘଟାଇବାକୁ ସୂପାରି ଦେବେ ତାହାମଧ୍ୟା ବୁଝା ପଡୁନି।ତେଣୁ ଆମେ କହିବା କଥା ଏହିସବୁ କଥା କିଏ ମାନିଛି?ବିକ୍ରମ ପଣ୍ଡା ନା ପିଣ୍ଟୁ ଦାସ?ଯଦି ଏହି ଦୁଇ ଜଣଙ୍କ ମଧ୍ୟରୁ ପୋଲିସ ଆଗରେ କେହି ମାନିଛି ତେବେ ସେମାନଙ୍କ ନାମ ପ୍ରେସ କନଫରେନ୍ସରେ କାହିଁକି ପ୍ରକାଶ କଲେନାହିଁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ମହୋଦୟ ତାହା ମଧ୍ୟ ପ୍ରଶ୍ନ ଉଠୁଛି।ଏଣୁ ଅଦାଲତରେ ଏସବୁ ସାବ୍ୟସ୍ତ କରିବା ନିଶ୍ଚିନ୍ତ ପୋଲିସ ପାଇଁ କାଠିକର ପାଠ ହେବ ବୋଲି ଅନୁମାନ କରାଯାଉଛି।


ସେହିପରି ପୋଲିସ ଆଉ ଏକ ଦିଗ କହୁଛି ଯେ,ଆଇନଜୀବି ପୀତବାସଙ୍କ ପାଇଁ କାଳେ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ଉଭୟ ବଡ ଆର୍ଥିକ କ୍ଷତି ସହୁଛନ୍ତି ଏବଂ ସେ ଦୁହେଁଙ୍କୁ ଲାଗିଲା ପୀତବାସ ବଞ୍ଚି ରହିଲେ ଏମାନେ କେବେ ଜୀବନରେ ଆଉ ଆର୍ଥିକ ଉନ୍ନତି କିମ୍ବା ରାଜନୈତିକ ଅଗ୍ରଗତି କରିପାରିବେ ନାହିଁ ତେଣୁ ଏମାନେ ପୀତବାସଙ୍କୁ ହତ୍ୟା କରିବାପାଇଁ ସୁପାରି ଦେଇଦେଲେ।ବାସ୍ତବରେ ପୋଲିସ କୁ ଭଲଭାବେ ଜଣା ଅଛି ପୋଲିସ ହେପାଜତରେ ଦିଆଯାଇଥିବା କାରାଗାର ସ୍ବୀକାର ଅଦାଲତରେ ବଳିଷ୍ଠ ପ୍ରମାଣ ହେବନାହିଁ।ଅର୍ଥାତ୍ ପୋଲିସ ଚାପମୁକ୍ତ ହେବାପାଇଁ ବା ବାହା ବାହା ନେବା ପାଇଁ ତରବରିଆ ଭାବେ ଚଳଚ୍ଚିତ୍ର ଶୈଳୀରେ ୩୬ଜଣ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଗୋଟିଏ ଲମ୍ବା କାହାଣୀ କହିଲା ଏବଂ ସେଥିରେ ଗୁଡାଏ କଥା ଛାଡ଼ି ଯାଇଛି।
ପୋଲିସ୍ କହିବା ଅନୁସାରେ ଆଉ ଗୋଟିଏ ଦିଗ ହେଉଛି ୪ ଜଣ ବିହାର ରୁ ଆସି ୧୦ ରୁ ୧୪ ପର୍ଯ୍ୟନ୍ତ ରେକି କଲେ ,ପୀତବାସ ଙ୍କୁ ମାରିବା ପାଇଁ ଏମାନଙ୍କୁ ବନ୍ଧୁକ ଦିଆ ସରିଥିଲା କିନ୍ତୁ ଏମାନଙ୍କ ମଧ୍ୟରୁ ଜଣଙ୍କ ସ୍ତ୍ରୀ ଅସ୍ତ୍ରପଚାର ହେବାରୁ ଏମାନେ କାଳେ ହଟାତ୍ ଛାଡ଼ି ପଳାଇ ଗଲେ।ତେବେ କଥା ହେଉଛି ତାଙ୍କ ସ୍ତ୍ରୀ ଯେଉଁ ଅସ୍ତ୍ରୋପଚାର ହେବା କାରଣ ଦେଖାଉଛି ପୋଲିସ ଏହାର ମେଡିକାଲ୍ ତଥ୍ୟ ପୋଲିସ ପାଖରେ ଅଛି ତ?ଯଦି ଅଛି ଏହାକୁ ପୋଲିସ ପ୍ରେସ ରିଲିଜ୍ ରେ କାହିଁକି ଦେଖାଇଲା ନାହିଁ?ତେଣୁ ଏହି କାହାଣୀ କେତେ ବିଶ୍ୱାସ ଯୋଗ୍ୟ ତାହା ମଧ୍ୟ ପ୍ରଶ୍ନ ଉଠୁଛି।
ଆଉ ଗୋଟିଏ କଥା ହେଉଛି ଭରତପୁର ଥାନା ମାମଲା ପରେ ହାଇକୋର୍ଟ କହିଥିଲେ ସମସ୍ତ ଥାନାର ସମସ୍ତ ସ୍ଥାନରେ ସିସି କ୍ୟାମେରା ରହିବ।ପ୍ରଶ୍ନ ହେଉଛି ଏମାନଙ୍କୁ ପଚରା ଉଚୁରା କେଉଁ ବାରାକ ରେ ବା କେଉଁ ଥାନାରେ ହୋଇଛି ଏବଂ ସିସି କ୍ୟାମେରା ସମ୍ନାରେ ହୋଇଛି କି ନାହିଁ ଏକଥା ପୋଲିସ କହୁନାହିଁ କାହିଁକି?ଯଦି ସୁସି କ୍ୟାମେରା ବାହାରେ ହୋଇଛି ତେବେ ଏହା ମଧ୍ୟ ବିରାଟ ପ୍ରଶ୍ନ ଆସୁଛି ଯେ,ଏତେବଡ ହାଇ ପ୍ରୋଫାଇଲ୍ ହତ୍ୟା ଘଟଣାର ପଚରାଉଚରା ସିସି ଟିଭି କ୍ୟାମେରା ବାହାରେ ହେଲା କେମିତି?


ଏବେ ଆସିବା ପୋଲିସ୍ କହୁଥିବା ବନ୍ଧୁକ କାହାଣୀ ଉପରକୁ।ପୋଲିସ କହିବା ଅନୁସାରେ ପ୍ରଥମେ ବିହାରୀ ଅପରାଧୀଙ୍କୁ ଦିଆଯାଇଥିଲା ସେମାନେ ପଳାଇଲେ।ତାପରେ ପୁଣି କୁରୁପତି ଆଉ ଚିଣ୍ଟୁ ପ୍ରଧାନ ଅପରାଧ ଘଟାଇଲେ।କିନ୍ତୁ ପୋଲିସ କହୁନାହିଁ ସେଇ ସମାନ ବନ୍ଧୁକରେ ହିଁ ଅପରାଧ ଘଟିଛି କି ନାହିଁ ଅର୍ଥାତ୍ ବିହାରୀଙ୍କୁ ଦିଆଯାଇଥିବା ସେହି ଦୁଇଟି ବନ୍ଧୁକରେ ହିଁ ଗୁଳି କରାଯାଇଛି କି ପୋଲିସ ଏବେ ଦେଖାଉଥିବା ଏହି ଦୁଇଟି ହେଉଛି ଅନ୍ୟ ବନ୍ଧୁକ।ଯଦି ବିହାରୀଙ୍କୁ ଦିଆଯାଇଥିବା ଦୁଇଟି ବନ୍ଧୁକ ,ପୋଲିସ ଦେଖାଉଥିବା ଏହି ଦୁଇଟି ବନ୍ଧୁକ ନୁହେଁ ତେବେ ଆଉ ଦୁଇଟି ବନ୍ଧୁକ ଗଲା କୁଆଡେ?ଏହି ବିଷୟରେ ବି ପୋଲିସ ପଦୁଟିଏ କହୁନାହିଁ।ସବୁଠାରୁ ବଡ ପ୍ରଶ୍ନ ହେଉଛି ଏମାନେ କେଉଁ ଚା ଦୋକାନ ଆଗରେ ଗାଡି ଛାଡି ପଳାଇଗଲେ ,ସେକଥା ଜାଣିପାରି ପୋଲିସ ଚା ଦୋକାନୀଙ୍କୁ ଠାବ କରିପାରିଲା କିନ୍ତୁ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ବନ୍ଧୁକ କେଉଁଠୁ ଆସିଲା ବା ଏହାର ସପ୍ଲାୟର କିଏ ପୋଲିସ କାହିଁକି ଏପର୍ଯ୍ୟନ୍ତ ଛାନ୍ ଭିନ୍ କରୁନାହିଁ?


ରାଜନୈତିକ ଦୃଷ୍ଟିକୋଣରୁ ଏହା ବୋଧ ହୁଏ ବିଜେଡ଼ି ବା ନବୀନ ପଟ୍ଟନାୟକଙ୍କ ଜୀବନରେ ପ୍ରଥମ ଘଟଣା ହେବ ଯେ,ଦଳର ଜଣେ ନେତାଙ୍କୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ଗିରଫ କରାଯାଇଛି ଆଉ ଦଳ ତାଙ୍କୁ ବହିଷ୍କାର ନକରି ତାଙ୍କ ସପକ୍ଷରେ ପାଟି ଖୋଲୁଛି ବା ଦଳ ତରଫରୁ ପ୍ରେସ ମିଟ କରାଯାଉଛି।ଆଉ ଏହାର ଉତ୍ତରରେ ଭାରତୀୟ ଜନତା ପାର୍ଟିର ତମାମ ନେତୃତ୍ଵ ଏବେ ଆଗକୁ ଆସିଛନ୍ତି।ସୁରେର ପୂଜାରୀଙ୍କ ଭଳି ଜଣେ ବରିଷ୍ଠ ଆଇନଜୀବୀ ଯେଉଁ ବକ୍ତବ୍ୟ ଦେଉଛନ୍ତି ସେଥିରେ ଅନେକ ପ୍ରଶ୍ନ ଉଠୁଛି।ଆଇନ୍ କାନୁନ୍ କୁ ଭଲଭାବେ ଜାଣିଥିବା ଆଉ ପେଶା କରିଥିବା ସୁରେଶ ପୂଜାରୀ କହୁଛନ୍ତି ଏଥିରେ ଅସୁବିଧା କଣ ରହିଛି।ପୋଲିସ ବିନା ତଥ୍ୟ ପ୍ରମାଣରେ କାହାକୁ ଗିରଫ କରିବେ ନାହିଁ।ଆଉ ଯଦି ସେ ନିର୍ଦ୍ଦୋଷ ଥିବେ ତେବେ ସେ ଅଦାଲତରୁ ନିଶ୍ଚିନ୍ତ ବେଲ୍ ପାଇବେ।ତେବେ କଥା ହେଉଛି ଜଣେ ବେଲ୍ ପାଇଯିବ ବୋଲି କଣ ଯାହାକୁ ନାଇ ତାକୁ ପୋଲିସ ବାନ୍ଧିକି ଜେଲ୍ ପଠାଇଦେଇ ପାରିବ?ଏହା ସୁରେଶ ପୂଜାରୀ ବାବୁଙ୍କର କିଭଳି ଯୁକ୍ତି ଆମେ ବୁଝି ପାରୁନାହୁଁ।ଅନ୍ୟପଟେ ସମାନ କଥା ବିଜେଡ଼ି ସରକାର ଥିଲାବେଳେ ମଧ୍ୟ କରୁଥିଲା।ଆପଣ ପରୀ ମାମଲା ଦେଖନ୍ତୁ ଅବା ମମିତା ମେହେର ମାମଲା ଦେଖନ୍ତୁ ସେତେବେଳେ ତାଙ୍କ ଦଳର କୌଣସି ନେତା ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ତାଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉନଥିଲା।ଆମେ କହିବାର କାରଣ ହେଉଛି ମନ୍ତ୍ରୀ ବିଭୂତି ଜେନାଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ବିଜେପିର ଡମ୍ବରୁ ରେଡ୍ଡୀ ବୋଲି ଜଣେ ନେତା ଦାବି କରିଛନ୍ତି ଏବଂ ଅନେକ ତଥ୍ୟ ପ୍ରମାଣ ମଧ୍ୟ ଦେଇଛନ୍ତି।କିନ୍ତୁ ଏକଥା ପୋଲିସ କି ବିଜେପି ଗ୍ରହଣ କରିବାପାଇଁ ରାଜି ହେଉନାହାନ୍ତି।ଯେତେବେଳେ ବିଜେଡ଼ି ସରକାର ଥିଲା ସେତେବେଳେ ବିଜେଡ଼ିର ମୁଖପାତ୍ର ଆଉ ମନ୍ତ୍ରୀ ମାନେ କହୁଥିଲା ଆପଣ ଅଦାଲତକୁ ଯାଆନ୍ତୁ।ଯଦି ଅଦାଲତ କହିବ ଦୋଷୀ ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବା ତଦନ୍ତ ପରିସର ଭୁକ୍ତ କରିବ।ସମାନ କଥା ଏବେ ସୁରେଶ ପୂଜାରୀ ମହୋଦୟ ମଧ୍ୟ କହୁଛନ୍ତି ଯେ ଅଦାଲତକୁ ଯାଆନ୍ତୁ ସେଠାରେ ନ୍ୟାୟ ପାଇଯିବେ।କଥା ହେଉଛି ସୁରେଶ ବାବୁଙ୍କୁ କେହି ଅଦାଲତର ରାସ୍ତା ପଚାରୁ ନାହାନ୍ତି,ତାଙ୍କୁ ପଚରା ଯାଉଛି ଯେ ତଦନ୍ତ ଠିକ୍ ଢଙ୍ଗରେ ହୋଇଛି ନା ନାହିଁ? ପାରିପାର୍ଶିକ ପ୍ରମାଣରୁ ଯଦି ବିକ୍ରମ ପଣ୍ଡାଙ୍କ ସଂପୃକ୍ତି ଆସୁଛି ତେବେ ପୋଲିସ୍ ଏହାକୁ ବଳିଷ୍ଠ କରିବାପାଇଁ ଆଉ ଟିକେ ତଦନ୍ତକୁ ଆଗକୁ ନବଢାଇ କାହିଁକି ଏମିତି ତରବରିଆ ଭାବେ ପ୍ରେସ ରିଲିଜ୍ କରି ସମାଲୋଚନାର ପାତ୍ର ହେଲା ତାହା ମଧ୍ୟ ବୁଝା ପଡୁନାହିଁ।


ବ୍ରହ୍ମପୁର ପୋଲିସ ଉପରେ କାହିଁକି ସନ୍ଦେହ ଆସୁଛି ବା ରାଜନୈତିକ ଅଭିସନ୍ଧି ରଖି କୌଣସି କାହାଣୀ ରଚା ଯାଉନାହିଁ ତ ?ସେଥିପାଇଁ ବ୍ରହ୍ମପୁର ପୋଲିସ ର ଆଉ ଏକ ଚରିତ୍ର ଆମେ ଆପଣଙ୍କ ସାମ୍ନାରେ ରଖୁଛୁ। ଗତ ସପ୍ତାହରେ ଚିକିଟିରେ ରାମଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କୁ ବିନା ଏତାଲା,ବିନା ୱାରେଣ୍ଟରେ।କାରଣ ହେଉଛି ସିଏ କୁଆଡେ ବିଜେପି ନେତା ତଥା ଚିକିଟି ବିଧାୟକଙ୍କୁ ରାସ୍ତାରେ ଦେଖି ଅଟହାସ୍ୟ କରିବା ଭଳି ହସିଥିଲେ।ଏହାପରେ ବିଜେଡ଼ି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଉଷା ଦେବିଙ୍କ ନେତୃତ୍ୱରେ ତାଙ୍କ ସମର୍ଥକ ମାନେ ଥାନା ସାମ୍ନାରେ ପ୍ରତିବାଦ କରିବା ପରେ ଶେଷରେ ପୋଲିସ ସରପଞ୍ଚଙ୍କ ସ୍ୱାମୀଙ୍କୁ ଛାଡିଦେଲା।କଥା ହେଉଛି ଉଠାଇ ଥିଲା କାହିଁକି ପୁଣି ଛାଡ଼ିଲା କାହିଁକି?କେବଳ ସେତିକି ନୁହେଁ ସେହିପରି ବିନା ଏତଲାରେ ବିନା ୱାରେଣ୍ଟିରେ ଜରଡା ପୋଷ୍ଟ କାର୍ଯ୍ୟାଳୟର ଜଣେ ବ୍ରାଞ୍ଚ ଅଫିସରଙ୍କୁ ପୋଲିସ ଉଠାଇ ଆଣିଲା କାରଣ ହେଉଛି ବିଜେପି ଦଳିଆ ବିଧାୟକଙ୍କ ସହିତ ତାଙ୍କର କାଳେ କଣ ତୁ ତୁ ମେଁ ମେଁ ଥିଲା।ଶେଷରେ ସାଧାରଣ ଲୋକମାନେ ମହିଳା ମାନେ ପ୍ରତିବାଦ କରିବାରୁ ପୋଲିସ ପୋଷ୍ଟ ମାଷ୍ଟରଙ୍କୁ ମଧ୍ୟ ଛାଡିଥିଲା।
ଛ ମାସ ଭିତରେ ବ୍ରହ୍ମପୁରରେ ୧୨୮ ହତ୍ୟା ହେଲାଣି ବୋଲି ବିଜେଡ଼ି କହୁଛି।ଏହି ସମୟରେ ଆଉ ଗୋଟିଏ କଥା ଉଠୁଛି ଯେ,ଗୋପାଳପୁରରେ ଯେଉଁ ଗଣ ବଳତ୍କାର ହୋଇଥିଲା ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟରେ ଏକ ପ୍ରତିବାଦ ସଭା ହୋଇଥିଲା ଏବଂ ସେଥିରେ ସାନଙ୍ଖେମୁଣ୍ଡି ବିଧାୟକ ତଥା କଂଗ୍ରେସ ନେତା ରମେଶ ଜେନା କହିଥିଲେ ଯେ,ସେହି ଗଣ ବଳତ୍କାର ଘଟଣାର ଅଭିଯୁକ୍ତ ମାନଙ୍କର ଓକିଲ ହେଉଛନ୍ତି ପୀତବାସ ପଣ୍ଡା ଓ ଏହି କେସ ଲଢ଼ିବା ପାଇଁ କାଳେ ତାଙ୍କୁ ୧୦ଲକ୍ଷ ଟଙ୍କା ଦିଆଯାଇଥିଲା।ଏହି ପ୍ରସଙ୍ଗକୁ ପୋଲିସ ତଦନ୍ତ ପରିସର ଭୁକ୍ତ କରିଛି କି ନାହିଁ ତାହା ମଧ୍ୟ ପ୍ରଶ୍ନ ଉଠୁଛି।


ତେବେ ପୋଲିସ ଯେଉଁ ସବୁ ତଥ୍ୟ ଦେଇଛି ଏସବୁ ହେଉଛି ପାରିପାର୍ଶିକ ତଥ୍ୟ ପ୍ରମାଣ କିନ୍ତୁ ତମାମ ତଥ୍ୟକୁ ଅନୁଶୀଳନ କଲେ ଲାଗୁନାହିଁ ଯେ ପୋଲିସ ପାଖରେ ଥିବା ତଥ୍ୟ ଅଦାଲତ ଗ୍ରହଣ କରିବ।ବିଜେଡ଼ି ଯେଉଁ ଅଭିଯୋଗ ଆଣୁଛି ଯେ ସତ୍ତାରେ ଥିବା ଦଳର ଇଙ୍ଗିତରେ ତାଙ୍କ ନେତାଙ୍କୁ ଫସା ଯାଉଛି ତାହା କେତେଦୂର ସତ୍ୟ ତାହା ଅଦାଲତ ହିଁ ଫଇସାଲା କରିବ।ଶେଷରେ ଆମେ କହୁଛୁ ପୋଲିସ ଯେଉଁ ପ୍ରେସ ରିଲିଜ୍ ଦେଇଛି ଏଥିରେ ସମସ୍ତଙ୍କ ନାମ ନେଇଛି କିନ୍ତୁ ବ୍ରହ୍ମପୁର ବିଧାୟକଙ୍କ ନାମ ନନେଇ ପୁରା ଶ୍ରଦ୍ଧାର ସହ ପ୍ରୋଟୋକଲ ଅନୁସାରେ ଉଲ୍ଲେଖ କରାଯାଇଛି ବିଧାୟକ ସାର୍।ଏହାକୁ ନେଇ ମଧ୍ୟ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି କରିବ।ଆଶା କରାଯାଉଥିଲା ଏହି ପ୍ରେସ କନଫରେନ୍ସ ପରେ ଅନ୍ତତଃ ପକ୍ଷେ ପୋଲିସ ଟିକେ ଆଶ୍ବସ୍ତ ହେବ କିନ୍ତୁ ଲାଗୁଛି କାହାଣୀ ସିନା ରଚା ହୋଇଗଲା କିନ୍ତୁ କାହାଣୀକୁ ପୂର୍ଣ୍ଣାଙ୍ଗ କରିବାକୁ ହେଲେ ଯେଉଁସବୁ ଉପମା ଆବଶ୍ୟକ ସେଥିରେ ଅନେକ କମି ରହିଗଲା।

Related Posts