ଭୁବନେଶ୍ୱର,୨୧/୫(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶନିବାର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା, ସ୍ନାନ ଯାତ୍ରା, ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହୋଇଛି । ତେବେ ଶୃଙ୍ଖଳିତ ନୀତିକାନ୍ତି ସହ ମହାପ୍ରଭୁଙ୍କ ରଥଯାତ୍ରା କିପରି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ଛତିଶା ନିଯୋଗ ସେବାୟତଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ ।
ଆସନ୍ତା ୪ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ବିଶେଷ ନୀତିକାନ୍ତି ଥିବାରୁ ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ରଥଯାତ୍ରା ପୂର୍ବରୁ ପରିକ୍ରମା ପ୍ରକଳ୍ପ ନିର୍ମାଣ କାମ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଜୁନ୍ ୨୦ରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଚୂଡ଼ାନ୍ତ ନୀତିକାନ୍ତି ଅନୁଯାୟୀ, ଘୋଷଯାତ୍ରା ଅର୍ଥାତ୍ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ସାଢ଼େ ୯ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ଶେଷ ପରେ ମଦନମୋହନ ବିଜେ, ବେଶ ଆଦି ଶେଷ ହେବ। ଅପରାହ୍ନ ୪ଟାରେ ରଥଟଣା ହେବ।
ସେହିଭଳି ଦେବସ୍ନାନ ପୂର୍ଣ୍ଣିମାରେ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳ ବିଜେ, ପୂଜା, ସ୍ନାନ ପରେ ମଧ୍ୟାହ୍ନ ୧୨ଟା ୪୫ରୁ ହାତୀବେଶ ଆରମ୍ଭ ହେବ। ଏଥିସହ ମେ ୩୦ ତାରିଖ ରାଜେନ୍ଦ୍ରାଭିଷେକ ନୀତି, ମେ’ ୩୧ ତାରିଖ ଋକ୍ମିଣୀହରଣ ଏକାଦଶୀ, ଜୁନ ୧ ତାରିଖ ଚମ୍ପକ ଦ୍ବାଦଶୀ, ଜୁନ ୨ ତାରିଖ ଦଇତାପତି ପ୍ରବେଶ, ୩ ତାରିଖ ସେନାପଟା ଲାଗି, ୧୩ ତାରିଖ ଚକା ବିଜେ, ୧୪ ତାରିଖ ଖଳିଲାଗି, ୧୫ ତାରିଖ ରାଜପ୍ରସାଦ ବିଜେ, ୧୬ ତାରିଖ ଘଣାଲାଗି, ୧୭ ଓ ୧୮ ତାରିଖ ବନକଲାଗି, ୧୯ ତାରିଖ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ୨୪ ତାରିଖ ହେରା ପଞ୍ଚମୀ, ୨୫ ତାରିଖ ରଥ ଦକ୍ଷିଣି ମୋଡ଼, ୨୭ ତାରିଖ ସନ୍ଧ୍ୟା ଦର୍ଶନ, ୨୮ ତାରିଖ ବାହୁଡ଼ାଯାତ୍ରା, ୨୯ ତାରିଖ ସୁନାବେଶ, ୩୦ ତାରିଖ ଅଧରପଣା ନୀତି ଓ ଜୁଲାଇ ୧ ତାରିଖ ନୀଳାଦ୍ରି ବିଜେ ନୀତିର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ଏଥିସହ ନୀତିଶୃଙ୍ଖଳା ପାଇଁ ସେବାୟତ ଓ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ଏହି ନୀତିକାନ୍ତିରେ ଓ ବ୍ୟବସ୍ଥାବଳୀରେ କେବଳ ପରିଚାଳନା କମିଟି ମୋହର ମାରିବ ।





